Unknown

 

 

 

 

 

 

 

 

 

 

 

ଆଶାବରୀ

ଶ୍ରୀ ବ୍ରହ୍ମାନନ୍ଦ ଦାସ

 

ଉତ୍ସର୍ଗ

 

ପରମ ଆରାଧ୍ୟତମା–

ମାତୃଦେବୀଙ୍କ

କର-କମଳରେ ଉତ୍ସର୍ଗ କଲି ।

 

–ବରି–

 

ମୁଖବନ୍ଧ

 

କଥାବସ୍ତୁଟି ଉତ୍କଳ ଇତିହାସରୁ ଅବତାରଣା କରାଯାଇଛି । ଖ୍ରୀଷ୍ଟ ପଞ୍ଚଦଶ ଶତାବ୍ଦୀରେ ଉତ୍କଳର ପାଟଣା ଏକ ସ୍ୱତନ୍ତ୍ର ରାଜ୍ୟ ଥିଲା ଏବଂ ଉକ୍ତ ରାଜ୍ୟରେ ରାମ ଦେବ ବା ନରସିଂହ ଦେବ ନାମରେ ଜଣେ ପ୍ରତିଭାଶାଳୀ ନରପତି ରାଜତ୍ୱ କରୁଥିଲେ । ଏହି ନୃପତିଙ୍କ ଅନୁଜ ବଳରାମ ଦେବ ଯେପରି ଭ୍ରାତୃଭକ୍ତ ସେହିପରି ଦୃଢ଼ପ୍ରତିଜ୍ଞା, ସାହସୀ ଓ ଯୋଦ୍ଧା ଥିଲେ । ଭ୍ରାତୃଜାୟାଙ୍କ ପ୍ରସବକାଳୀନ ପୀଡ଼ା ଲାଘବ ନିମନ୍ତେ ସେ ଏକାକୀ ରାଜ୍ୟ ମଧ୍ୟସ୍ଥ ମାୟାବତୀ ନଦୀ ଅପର ପାର୍ଶ୍ୱସ୍ଥିତ ଜନୈକ ଧାଈକୁ ସ୍କନ୍ଧ ଉପରେ ସ୍ଥାପନ ପୂର୍ବକ ଖରସ୍ରୋତା ଫେନଯୁକ୍ତ ବନ୍ୟାବୃଷ୍ଟ ନଦୀବକ୍ଷରେ ସନ୍ତରଣ କରି ନଦୀ ପାର ହୋଇ ଆସିଥିଲେ । ଏହି ବିସ୍ମୟାବିଷ୍ଟ ଓ ଅଦୃଷ୍ଟପୂର୍ବ ଘଟଣାରେ ସେ ଅଗ୍ରଜ ନରସିଂହ ଦେବଙ୍କଠାରୁ ତେଲ, ଅଙ୍ଗ, ଜଙ୍କ ଓ ମହାନଦୀ ମଧ୍ୟସ୍ଥ ଭୂଖଣ୍ଡ ପୁରସ୍କୃତ ହୋଇଥିଲେ । ସର୍ବପ୍ରଥମେ ସେ ଏହି ଭୂଖଣ୍ଡ ମଧ୍ୟବର୍ତ୍ତୀ ନୂଆଗଡ଼କୁ ରାଜଧାନୀ କରିଥିଲେ, ମାତ୍ର ପରେ ବରଗଡ଼ ଓ ଶେଷରେ ସମ୍ୱଲପୁରରେ ରାଜଧାନୀ ସ୍ଥାପନ କରିଥିଲେ ।

ପାଟଣାର ଶିଳାଲିପିରୁ ଜଣାଯାଏ ଯେ ୧୩୫୧ ଖ୍ରୀଷ୍ଟାବ୍ଦରେ ଅର୍ଥାତ୍ ରମଣୀୟ ଦେବଙ୍କ ରାଜତ୍ୱର ଦୁଇଶତ ବର୍ଷ ପୂର୍ବରୁ ଏହି ରାଜ୍ୟ ଗଙ୍ଗବଂଶୀୟ ନରପତିଙ୍କ ଅଧିକାରଭୁକ୍ତ ଥିଲା ଏବଂ ସେଠାରେ ତଥାକଥିତ ବଂଶଧରମାନଙ୍କ ମଧ୍ୟରୁ କେହି ରାଜତ୍ୱ କରୁଥିଲେ । ସମ୍ୱଲପରୁର ବଳୀୟାର ସିଂହ ଉତ୍କଳ ଗଜପତିଙ୍କଠାରୁ ‘ହୀରାଖଣ୍ଡ ଛତ୍ରପତି ମହାରାଜ’ ଉପାଧି ମଧ୍ୟ ପାଇଥିଲେ ଏବଂ ସେ ଅଠର ଗଡ଼ଜାତର ଅଧିନାୟକ ବା ଛତ୍ରପତି ଥିଲେ । ଏହି ସ୍ଥାନର ଝାଡ଼ୁଆ ଜାତି ମହାନଦୀର ଅବବାହିକାରୁ ହୀରା ସଂଗ୍ରହ କରୁଥିବାର ଏବଂ ସମ୍ୱଲପୁର ହୀରା ନିମନ୍ତେ ପ୍ରସିଦ୍ଧି ଲାଭ କରିଥିବାର ମଧ୍ୟ ଐତିହାସିକ ପ୍ରମାଣ ଆଧୁନିକ ହୀରାକୁଦ ନାମରୁ ସ୍ପଷ୍ଟ ପ୍ରତୀୟମାନ । ବଳରାମ ଦେବ ଏହି ହୀରାଖଣ୍ଡ ସ୍ଥାନର ରାଜା ଥିଲେ ଏବଂ ଅଷ୍ଟାଦଶ ଗଡ଼ଜାତର ମହାରାଜା ହୋଇଥିବାର ଉଲ୍ଲେଖ ନ ଥିଲେହେଁ ଗଜପତିଙ୍କ ରାଜତ୍ୱଠାରୁ ଏହା ଅଷ୍ଟାଦଶ ଗଡ଼ଜାତର ମିଶ୍ରଣ ରାଜ୍ୟ ବୋଲି ସୂର୍ଯ୍ୟବଂଶରୁ ପ୍ରମାଣ ମିଳେ । (କପିଳେନ୍ଦ୍ରଦେବ ସ୍ୱୀୟ ଅଷ୍ଟାଦଶ ଭ୍ରାତାମାନଙ୍କୁ ଏହି ରାଜ୍ୟଗୁଡ଼ିକ ଦାନ କରିଥିଲେ) । ତଦନୁଯାୟୀ କଥା ବସ୍ତୁରେ ମଧ୍ୟବର୍ତ୍ତିକାଳୀନ ବଳରାମ ଦେବ ଏହି ରାଜ୍ୟମାନଙ୍କର ମହାରାଜା ଓ ଗଜପତିଙ୍କ ପ୍ରଦତ୍ତ ଉପାଧି ଯାହା କି କାଳକ୍ରମେ ହୋଇ ଆସିଥିଲା, ତାହା ଏଥିରେ ଲିପିବଦ୍ଧ କରାଯାଇଛି ।

ବଳରାମ ଦେବ ସମ୍ୱଲେଶ୍ୱରୀ ମନ୍ଦିର ସ୍ଥାପନ ବିଷୟରେ ଏଥିରେ ଯେଉଁ ଗଳ୍ପ ସନ୍ନିବେଶିତ ଅଛି, ତାହା ଇତିହାସରେ ଉଲ୍ଲେଖ ଅଛି । ତାହାଙ୍କ ରାଜତ୍ୱରେ ଭେଡ଼ନ ନଦୀ ତୀରବର୍ତ୍ତୀ ଯୁଦ୍ଧ ଏ ପ୍ରଧାନ ଘଟଣା । ସମ୍ୱଲପୁର ସହର ସୁରଗୁଜା ରାଜ୍ୟର ସୀମା ଭିତରେ ସ୍ଥାପିତ ହୋଇଥିଲା । ସମ୍ୱାଦ ପାଇ ସୁରଗୁଜାର ତତ୍କାଳୀନ ରାଜା ନାଗେଶ୍ୱର ଦେବ ଯୁଦ୍ଧ ଆରମ୍ଭ କରିଥିଲେ; ମାତ୍ର ପରାସ୍ତ ଓ ବନ୍ଦୀ ହୋଇ ସେ ସ୍ୱୀୟ ଏକମାତ୍ର କୁଳାଙ୍କୁର କନ୍ୟା ଆଶାବରୀକୁ ବଳରାମ ଦେବଙ୍କ ପୁତ୍ର ଜୟଦେବ ଦେବଙ୍କୁ ବିବାହ ଦେଇଥିଲେ ।

ପରିଶେଷରେ ମୋର ଆଶା ଇତିହାସପ୍ରେମୀ ପାଠକପାଠିକା ବର୍ଗ ଜନ୍ମଭୂମିର ବିଗତ ସ୍ମୃତିର ଫଳକ ଏହି କାବ୍ୟଟିକୁ ପଢ଼ି ସାତିଶୟ ଆନନ୍ଦିତ ହେଲେ ମୋର ଶ୍ରମ ସାର୍ଥକ ମନେ କରିବି-

 

ବିନୀତ

ବୁଦ୍ଧପୂର୍ଣ୍ଣିମା, ୧୩୬୯ ସାଲ

–ଲେଖକ–

★★★

 

ପ୍ରଥମ ସର୍ଗ

 

ନିଶି ନାଶ ଶେଷେ ପ୍ରାଚୀ ନଭ ପଟେ

ଫୁଟିଲା ଉଷାର ହାସ,

ସରାଗେ ସୁନ୍ଦରୀ ପ୍ରଭ କାବ୍ୟ ତାରା

ମଣ୍ଡିଲା କପୋଳ ଦେଶ ।୧।

ଅବା ଦିଗଙ୍ଗନା କୁତୂହଳେ ଖଞ୍ଜି

ଦେଲେ ଦିବ୍ୟ ହୀରାଟିକା,

ଯା ଭାସ୍ୱର ହେଳେ ଚୁମ୍ୱିଲା ଉଦୟ-

ଅଚଳ ଉନ୍ନତ ଶିଖା ।୨।

ଛନ ଛନ ହୃଦେ ନିଶିଥିନୀ ବାଳୀ

ତେଜିଲା ପ୍ରାଚୀ ମହୁଡ଼,

ସୁପ୍ତ ବସୁଧାତ୍ରୀ ଅଳସ ଭାଜିଲା

ରାବଦେଲା ତାମ୍ୱ୍ରଚୂଡ଼ ।୩।

ପୁଲକ ଅନ୍ତରେ ଜଳ ସ୍ଥଳ ନଭ

ତନୁ ଛୁଇଁଲା ମରୁତ,

ମୃଦୁଳ ଶୀତଳ କରସ୍ପର୍ଶେ କରି

ନବ ଉଦ୍ଦୀପନା ଜାତ ।୪।

ତନ୍ଦ୍ରାଳସେ ଲୋଟି ମହୀରୁହ କୋଳେ

ଊର୍ଦ୍ଧ୍ୱେ ଚାହେଁ ସୁମନୁସ

ଛପି ଛପି ଆସି ଗନ୍ଧବହ ଗନ୍ଧ

ଲୋଭେ ଟାଣି ଧରେ ବାସ ।୫।

ଚମକିତ ପ୍ରାଣେ ଓଢ଼ଣୀକୁ ଫେଇ

ନିରେଖୁ ସଲ୍ଲଜ୍ଜେ ବାଳୀ

ଶୀତଳ କରରେ ତନୁ କୋଳ କରି

ବାତ ହୁଏ ନିଉଛାଳି ।୬।

ଏ କାଳେ ପରାଚୀ ସୁନ୍ଦରୀର ଗଣ୍ଡ

ଦଳା ପାଟଳିମା ଦିଶେ,

ବ୍ରୀଡ଼ାନତେ ଋକ୍ଷା- ବଳୀ ଧୀରେ ଧୀରେ

ଲୁଚିଯାନ୍ତି ବିହାୟସେ ।୭।

ପାଟଳିମା ପ୍ରଭ ନଭ ବିତାନରୁ

ଝରେ ବକ୍ଷେ ଧରିତ୍ରୀର

ଦେଖି ଛବି ମନେ ପ୍ରତେହୁଏ ଅବା

ବିରଞ୍ଚିର ଫଗୁଖେଳ ।୮।

ଦିଗଙ୍ଗନା ଅବା ରଙ୍ଗ ପିଚକାରୀ

ଫିଙ୍ଗୁଛନ୍ତି କୁତୂହଳେ

ଦୋଳ ଚର୍ଚ୍ଚରୀ ବା ହୋଇଛି ତାଙ୍କର

ସବୁଦିନେ ଏହି କାଳେ ।୯।

କି ବା ସାଗର ଗର୍ଭେ ସ୍ନାନ ସାରି

ଚାଲିଯାଇ ଦିଗବାଳୀ

ପରାଚୀ ତୋରଣେ ପାଟଳ ଅମ୍ୱର

ପିନ୍ଧେ ହୋଇ କୁତୂହଳୀ ।୧୦।

ଏ କାଳେ ସେ ରଙ୍ଗ ତୋରଣ ଦୁଆରେ

ଉଭା ହୋଇ ଦିନମଣି

ହରସ ରସରେ ଉଷା ସୁନ୍ଦରୀକୁ

କୋଳକୁ ଆଣିଲେ ଟାଣି ।୧୧।

ଲୋହିତ ବରଣ ବିଭା ଝଟକିଲା

ଭେଦି ପ୍ରାଚୀ ଚକ୍ରବାଳ

ଦେଖି ହେଲା ପ୍ରତେ ଅବା ସହସ୍ରାଂଶୁ

ତେଜନ୍ତି ସାଗର କୋଳ ।୧୨।

ବାଳରବି ଧୀରେ ପ୍ରସରିଣ କର

ମଣ୍ଡିଲା ଧରିତ୍ରୀ ତନୁ

ହାଟକ ବରନ ସହସ୍ର ରଶ୍ମିକୁ

ବର୍ଷି ସରଗ ବିତାନୁଁ ।୧୩।

କମଳିନୀ-ଧନୀ ସରସୀ ସଲିଳେ

ଚାହିଁଲା ପ୍ରିୟ ବନ୍ଧୁରେ,

ଜଡ଼ିଛି ନୟନେ ବିରହ ଲୋତକ

ଚିତ୍ତ ଜଳେ ଶୋକାନଳେ ।୧୪।

ବିରହ ଯାତନା ସହି ବାଳୀଶର

ବଳି ପଡ଼ି ଅଛି ଦୁଃଖ

ଅସାର ଜୀବନେ ଯାପିଛି ତ୍ରିଯାମା

ଲୋତକେ ଢାଳି ଲୋତକ ।୧୫।

ଅଧର ଯୁଗଳେ ଖେଳୁନାହିଁ ଆଉ

ପ୍ରେମ ଶିହରଣ ମାୟା,

ଦରଦୀ ହୃଦୟେ ଜଡ଼ି ରହିଅଛି

ବିଷାଦର ଅମା-ଛାୟା ।୧୬।

ବାନ୍ଧବୀର ଦେଖି ମଳିନ ବଦନେ

ମୁକ୍ତାଭ-ହିମ-ଲୋତକ

ପୋଛିଦେଲେ ହର୍ଷେ ପ୍ରସରି ସହସ୍ର-

କରକୁ ଦିନନାୟକ ।୧୭।

ଆଡ଼ରୁଷା ଛଳେ ପାଖୁଡ଼ା ପଣତ

ସଙ୍କୁଚିତ କରୁ ଧନୀ

ଉଜ୍ଜ୍ୱଳ କିରଣ ଲେପିଲେ ତା ଗାତ୍ରେ

ସରାଗରେ ଦିନମଣି ।୧୮।

ପ୍ରିୟତମଙ୍କର ଦରଦୀକୁ ଲଭି

ବାଳୀର ସ୍ଫୁରିଲା ହାସ

ପ୍ରେମ-ସ୍ୱାଗତିକା ଜଣାଇବା ଲାଗି

ମେଲିଲା ପାଖୁଡ଼ା ବାସ ।୧୯।

ଏ କାଳେ ବିବିଧ ଘଣ୍ଟ ଘଣ୍ଟା ସ୍ୱନେ

ଦେବାଳୟ ମୁଖରିତ

ମୁକ ପାଷାଣର ଦେବତା ଅର୍ଚ୍ଚନା

ବିଧିରେ ବ୍ରାହ୍ମଣ ରତ ।୨୦।

ନବ ସୀମନ୍ତିନୀ ସାଙ୍ଗସାଥୀ ମେଳେ

ଚଳନ୍ତି ତଟିନୀ ତଟେ

ଧୀର ବାତାଘାତେ ଉଡ଼ଇ ଅଞ୍ଚଳ

ସୁବାସ ଉକୁଟି ଉଠେ ।୨୧।

ହାସ୍ୟ ରସେ କେହି ଆନକୁ ଭାଷଇ,

‘‘କହିବଟି ସହି ମୋତେ

ଏକାକିନୀ କରି ଏ ନଦୀ ଘାଟକୁ

କେମନ୍ତେ ଛାଡ଼ିଲେ ତୋତେ’’ ।୨୨।

କେ ବୋଲେ, ‘‘ବଉଳ, କାଲି ନିଶୀଥରେ

ଥିଲ କି ବା ଉଜାଗର

ନେତ୍ର-ସରୋବରେ ଅଳସ ଲାଖିଛି

କ୍ଳାନ୍ତ ଦିଶୁଛି ଶରୀର’’ ।୨୩।

ଆନ ହସି ଭାଷେ ସେ ଗୁପତ କଥା

କହିବେ କି ତୋତେ ସହି

ଗଣ୍ଡ ଯୁଗଳରୁ ଜାଣି ପାରୁନାହିଁ

ନିଜେ ଅନୁଭବୀ ହୋଇ ।୨୪।

ଏପରି ରହସ୍ୟ ଗାଥାମାନ ପଡ଼େ

ମୁକୁଳା ତଟିନୀ ତଟେ

ପ୍ରଭାତୀ ଉତ୍ସବ ଅବା ଖେଳୁଅଛି

ଆସି ଏହି ନଦୀ ଘାଟେ ।୨୫।

ମଧୁ ସ୍ୱାଦ ଗୁଣେ ଆକୁଳ ଷଟ୍‍ପଦ

ଗୁଞ୍ଜରେ କୁସୁମ ପାଶ

କାକଳି ଶବଦ ଉଛୁଳି ଉଠଇ

ଜନପଦ ବନଦେଶ ।୨୬।

ଚଉଦିଗେ ଖେଳେ ପ୍ରଭାତ ସୌରଭ

ଧରିତ୍ରୀ ହରଷେ ରସେ

ନବ ଉଦ୍ଦୀପନା ଉନ୍ମାଦ ଘୋଟିଛି

ଜଳସ୍ଥଳ ନଭୋଦେଶେ ।୨୭।

ପରାଚୀ ମହୁଡ଼ ଦିନକର ତେଜି

ନ ଆସୁ ଉତ୍କଳ ନଭେ

ସମର ଡିଣ୍ଡିମ ହେଳେ ପ୍ରକଟିଲା

ସମ୍ୱଲପୁର ପ୍ରାସାଦେ ।୨୮।

ସମର ବାଦିତ୍ର ସ୍ତବ୍ଧ କରୁଅଛି

ଗର୍ବିତ ସମ୍ୱଲପୁର

ଚତୁରଙ୍ଗ ବଳ ପ୍ରକମ୍ପିତ ରବ

ଗ୍ରାସୁଛି ସିନ୍ଧୁ ଚହଳ ।୨୯।

ବୀରବୃନ୍ଦଙ୍କର ରଣସଜ୍ଜା ବେଶ

ଦିଶୁଛି ଦର୍ପଣ ଝାଳ

ବାଳ ଅର୍କ କରେ ଉଜଳି ଉଠୁଛି

ସୁଶାଣିତ କରବାଳ ।୩୦।

ଲୌହବର୍ମ୍ମ ସାଜ, କରେ ଶୋଭାପାଏ

ଧନୁଶର ବର୍ଚ୍ଛା ଢାଲ,

ଗଦା ତରବାରି କଟାରୀ ତ୍ରିଶୂଳ

ତ୍ରିକୋଣୀ ପତାକାମାଳ ।୩୧।

ଅଶ୍ୱାରୋହୀ ଗଜା- ରୋହୀ ପଦାତିକ

ରଥାରୋହୀ ଅକଳନ

ସମ୍ୱଲେଶ୍ୱରୀଙ୍କ ପଦ୍ମପାଦ ଧ୍ୟାୟୀ

ଚଳନ୍ତି ସମରାଙ୍ଗନ ।୩୨।

ପ୍ରାସାଦେ ପ୍ରାଚୀରେ ପୁଣି ଗବାକ୍ଷରେ

ନିରେଖନ୍ତି ପୁରନାରୀ,

†ହୀରା ଖଣ୍ଡ-ଛତ୍ର- ପତି-ମହାରାଜ

ଯାତ୍ରା ମନମୋହକରୀ ।୩୩।

ମଧ୍ୟେ ଶୋଭୁଛନ୍ତି ବାରଣ ପୃଷ୍ଠରେ

ସମ୍ୱଲପୁର ନୃପତି

ଅଗ୍ରେ ଉଡ଼ୁଅଛି ବାଳେନ୍ଦୁ ଲାଞ୍ଛନ

ତ୍ରିକୋଣିକା ବୈଜୟନ୍ତୀ ।୩୪।

ଅନିକିନୀକିର ନାଦ କୋଳାହଳ

ତକ୍‍କା ବିଜିଘୋଷ ସ୍ୱନ

କ୍ଷତ୍ରିୟ ରକତ ଉତ୍ତପ୍ତ ପାଇଁ କି

ଅବା ହୋଇଛି ଇନ୍ଧନ ।୩୫।

ସମର ଅଙ୍ଗନ ହୋ କି ଭୀଷଣ !

ମହାକାଳୀ ନୃତ୍ୟବେଦୀ

ବୀରବୃନ୍ଦ ପୁଣି ରକ୍ତ ଫଳକରେ

ତାହାକୁ ଥାନ୍ତି ଆରାଧି ।୩୬।

ବୀର ଏକା ସେହି ମାତୃଭୂମି ଲାଗି

ଯେ ଦିଏ ରକତ ଧାର

ବୀର ଏକା ସେହି କରି ଗଉରବ

ରଖେ ଯେ ଅବନୀ ପର ।୩୭।

ଜୀବନ ଲଭିଲେ ଅବଶ୍ୟ ମରଣ

ମରଣକୁ କିମ୍ପା ଡର,

ଭବରଙ୍ଗ ପୀଠେ ରହିଛି କି କେହି

ହୋଇ କେବେ ଅଜ୍ରାମର ।୩୮।

ସଦାକାଳେ ବୈରୀ ପାତନ ନିମନ୍ତେ

ଉତ୍କଳୀୟ ଉନମତ୍ତ

ଉତ୍କଳ ମାତାର ବେଶୀବନ୍ଧାଲାଗି

ଲୋଡ଼ା କି ଅରୀ ରକତ ।୩୯।

ବଙ୍ଗ ବାଦଶହ ବହୁବର୍ଷ ହେଲା

ଲଙ୍ଘିବାକୁ ହୈମବତୀ

ଚିତ୍ତ ଉଦ୍ୟାନରେ ଭୀତି ଲତିକାକୁ

ସଯତ୍ନେ ଅଛନ୍ତି ସ୍ଥାପି ।୪୦।

ବିଜୟନଗର ବିଜୟ ଦିନରୁ

ଦକ୍ଷିଣାଞ୍ଚଳ ରାଜନ

ଉଦୀଚୀ ଦିଶକୁ ମଣୁଥିଲେ ଚିତ୍ତେ

ଶମନ ରଙ୍ଗ ଭୁବନ ।୪୧।

ପରାଚୀ ଗଗନେ ଉଇଁ ଦିନମଣି

ସାଗର ଲହରୀ ତୋଳି,

ବୀରମଣି ରୂପେ ପୂଜା କରୁଥାନ୍ତି

ଉତ୍କଳ ନୃପ ମଉଳି ।୪୨।

ସହସା ପ୍ରତୀଚୀ ଭାଲେ କି ଉଦିଲା

ଧୂମକେତୁ ଖର ପ୍ରଭା

ସମ୍ୱଲାଇଦେବୀ- ବର-ପୁତ୍ର ମାନ

ହୃଦୟେ କରିଲା ଲୋଭା ।୪୩।

ଅହିବିଳେ ଅବା ଅନଳ କୁଣ୍ଡରେ

ଅବିବେକୀ କର ଭରି

କ୍ଷୁଧିତ ଶାର୍ଦ୍ଦୁଳ ସମ୍ମୁଖ ଇଚ୍ଛିଲା

ଏରଣ୍ଡ ଦଣ୍ଡକୁ ଧରି ।୪୪।

ସୁରଗୁଜା ନୃପ ଚିତ୍ରଲେଖ ଏକ

ପେଷିଛନ୍ତି ଦରକାର

ସମ୍ମତି ପ୍ରତୀକ୍ଷା ମାତର ଅଛଇ

ନତୁବା ହେବ ସମର ।୪୫।

ସମ୍ୱଲାଈ ପୀଠ ଲାଗି ବୈରୀଗଣ

କରିଛି ସୁର୍ଗୁଜା ରାଜ

ବାରତା ବହକୁ ପେଷିଛି ଉତ୍କଳ

ଚିନ୍ତି କେଉଁ ଶାନ୍ତି କାର୍ଯ୍ୟ ? ।୪୬।

ଅଷ୍ଟାଦଶ ସାମ- ନ୍ତଙ୍କ ନରପତି

ସମ୍ୱଲପୁର ନୃପତି,

ତଥାପି ସୁର୍ଗୁଜା ରାଜନ ହୃଦରେ

ତଳେ ସ୍ଫୁରିନାହିଁ ଭୀତି ।୪୭।

†ଅମା ନିଶୀଥରେ ପ୍ରାଣକୁ ନ ଡରି

ଉଛୁଳା ନଦୀ ବକ୍ଷରେ

ସନ୍ତରଣ କରି ଯେଉଁ ନୃପ ଆଣି –

ଥିଲେ ଧାଈକୁ ନବରେ ।୪୮।

ଅନୁଜର ଶକ୍ତି ଦେଖିଣ ଅଗ୍ରଜ

ଯାଚିଦେଲେ ଅର୍ଦ୍ଧ ରାଜ୍ୟ

ଆଜି ସେ ସୁର୍ଗୁଜା ନୃପ ଗରବରେ

ହୋଇବେ କି ହୀନ ବୀର୍ଯ୍ୟ ।୪୯।

ପଢ଼ି ଚିତ୍ରଲେଖ୍ୟ ଭାଷନ୍ତି ନୃମଣି

‘‘ଶୁଣରେ ବାରତା ବହ

କହିବୁ ତୋ ନୃପ ମସ୍ତକ ତାହାର

ସ୍କନ୍ଧେ ମଣଇ ଦୁଃସହ ।୫୦।

 

† ଏକଦା ପାଟଣାର ରାଜା ନରସିଂହଦେବଙ୍କ ରାଣୀ ପ୍ରସବ ଦେଦନାରେ ଅସ୍ଥିର ହେଉଥିଲେ । ସେତେବେଳେ ଭୟଙ୍କର ବର୍ଷାସଙ୍ଗେ ରାତ୍ରିର ଘନ ଅନ୍ଧକାର ଘୋଟି ରହିଥିଲା । ନିକଟସ୍ଥ ମାୟାବତୀ ନଦୀ ବନ୍ୟାପୃଷ୍ଟ ଥିବାରୁ ତାହାର ଅପର ପାର୍ଶ୍ୱରେ ବାସ କରୁଥିବା ଜନୈକ ଧାଈକୁ ଆଣିବାକୁ କେହି ସାହସ କରି ନ ଥିଲେ । ମାତ୍ର ଏକାକୀ ବଳରାମଦେବ ନଦୀ ସନ୍ତରଣ କରି ଧାଈ ନିକଟକୁ ଯାଇଥିଲେ ଓ ତାହାକୁ ସ୍କନ୍ଧ ଉପରେ ସ୍ଥାପନ ପୂର୍ବକ ରାଜ୍ୟରେ ପ୍ରବେଶ କରି ଭ୍ରାତୃ ଜାୟାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ନରସିଂହଦେବ ସନ୍ତୁଷ୍ଟ ହୋଇ ତେଲ, ଅଙ୍କ, ଜୀଙ୍କ ଓ ଜିରା ନଦୀ ମଧ୍ୟସ୍ଥ ଭୂଖଣ୍ଡ ତାଙ୍କୁ ଦେଇଥିଲେ ।

 

ନିଶାକାଳେ ରବି ଦିବସେ ତାରକା

କରେ ଯେବେ କରପାତ

ସାଗର ଗରଭ ଶୁଷ୍କ ହେବ ଯେବେ

ସମୀର ହେବ ସ୍ତମ୍ଭିତ ।୫୧।

ମରୀଚିକା ବନ ତୃଷାନାଶ ଲାଗି

ଲୋଡ଼ା ହେବ ଯେବେ ଜାଣ

ତେବେ ତୋ ନୃପର ସମ୍ୱଲାଈ ପୀଠ

ଅଧିକାରର ପ୍ରମାଣ’’ ।୫୨।

ଚଳିଗଲା ଦୂତ ଘେନିଣ ସନ୍ଦେଶ

ଯଥାକାଳେ ସୁରଗୁଜା

ନିବେଦିଲା ସର୍ବ ଭାରତୀ ସକଳ

ବାଜିଲା ସମର ବାଜା ।୫୩।

ସହସା ଉଠିଲା ଧୂମ୍ର ରାଶି ପ୍ରାୟ

ସୁର୍ଗୁଜା ସୈନ୍ୟ ସଂଘାତ

ଅବମାନନାର ପ୍ରତିହିଂସା ଭାବ

କରିଅଛି ରେଖାପାତ ।୫୪।

ସମଗ୍ର ରାଜ୍ୟରେ ଯୁଦ୍ଧ ଡିଣ୍ଡିମର

ନାଦ ଉଠେ ବେଳୁଁ ବେଳ

ପ୍ରାସାଦ ଚୂଳରେ ସମର ଆହ୍ୱାନେ

ଶୋଭେ ବୈଜୟନ୍ତୀ ମାଳ ।୫୫।

ସଦର୍ପେ ବିଜୟ ନାଗେଶ୍ୱର ଦେବ

ମତ୍ତ ଦନ୍ତାବଳ ପୃଷ୍ଠେ

ଅନିକିନୀ ସହ ଅଭିଯାନ ଚଳେ

ଭେଡ଼ନ ତଟିନୀ ତଟେ ।୫୬ ।

ବିରଞ୍ଚିର ସାଧ୍ୟ ନ ଅଟଇ ଆହା

ଯେଉଁ ଦର୍ପର ପତାକା

ମାନବ ମାତର ଉଡ଼ାଇ ତାହାକୁ

ଅନ୍ତେ ଲଭୁଥାଏ ଶଙ୍କା ।୫୭।

ଜୀବନ ଲିପିର ଭବିଷ୍ୟ ଲିଖନ

କିଏ ବା ପାରୁଛି ଜାଣି

ତଥାପି କରାଳ ସିନ୍ଧୁମୁଖେ ଭାସି

ଚିନ୍ତୁଛି ପରଶ ମଣି ।୫୮।

ଭେଡ଼ନ ତଟିନୀ କୂଳରେ ସହସା

ଲାଗିଲା ମହା ସମର

ଅରାତି ଦଳନେ ଅରାତି ମାନସ

କ୍ରୋଧ ଜର୍ଜର ପ୍ରବଳ ।୫୯।

ରଥୀ ସଙ୍ଗେ ରଥୀ ପଦାତି ପଦାତି

ଅଶ୍ୱାରୋହୀ ଗଜାରୋହୀ

ଅସ୍ତ୍ରର ଝଙ୍କାର ଟଙ୍କାର ଶବଦେ

ବେଳୁବେଳ ଥରେ ମହୀ ।୬୦।

ପିଶୁନ ଜର୍ଜର ମସ୍ତକ କାହଁବା

ଲୋଟି ପଡ଼ୁଛି ଧରଣୀ

ଛିନ୍ନ ଅବୟବ ବୈକୁଲ୍ୟ ଅନ୍ତରେ

ମର୍ମନ୍ତୁଦ କାହା ବାଣୀ ।୬୧।

ଦେଶ ଜାତିମାନ ରକ୍ଷା ଲାଗି ବୀରେ

ଦେଉଛନ୍ତି ମଥାପାତି

କ୍ଷତ୍ରିୟ ରକତ ବହେ ଧମନୀରେ

ରଣକଣ୍ଡୁ ଉଠେ ମାତି ।୬୨।

ଦିନେ ଯେଉଁ ଯୁବା ହୃଦ ଉଦ୍ୟାନରେ

ରୂପସୀ ଲତିକା ଥାପି

ଚିଦାନନ୍ଦ ଭୋଳେ ମଜ୍ଜି ରହିଥିଲା

ଅମା ନିଶିଥିନୀ ଯାପି ।୬୩।

ସମର ପହଣ ଚକିତେ ନିରେଖି

କିଶୋରୀର ଖେଦଚିତ୍ତ

ସାନ୍ତ୍ୱନା ଦେଇଣ ଆସିଥିଲା ପ୍ରିୟ

ଏ ଦୁଃସହ ରଣକ୍ଷେତ୍ର ।୬୪।

ତେଣେ ଚାହିଁଥିବ ଯୁବତୀ ଲଲାମ

ପ୍ରାଣପ୍ରିୟ ଆଗମନ

କିଏ ଜାଣିଥିଲା ନିର୍ମମ ଦଇବ

କରିବ ଏ ବିଡ଼ମ୍ୱକ ।୬୫।

ମାତୃ ହୃଦୟର ବାତ୍ସଲ୍ୟ ବୋଳା

ସରଗ-ମାଧୁରୀ ସ୍ନେହ

ଜୈତ୍ରୀ ମୁକୁଟେ ଆସୁଥିବ ଧନ

ଚକ୍ଷୁ ସ୍ଫୁରେ ଅହରହ ।୬୬।

ଆହା ଏ କି ହେଲା ପ୍ରାଣ ପକ୍ଷୀତାର

ତେଜିଲା ଭବ ପଞ୍ଜରୀ

ମାତାର ହୃଦୟେ ସୁତୀକ୍ଷ୍‍ଣ ନାରାଚ

ଅବା ଖରେ ବିଦ୍ଧ କରି ।୬୭।

ବିଜୟ ଚନ୍ଦନ କପୋଳେ ମଣ୍ଡିବ

ଆଶା ଉଠି ଯୁବା ପ୍ରାଣେ

ବୀରକେଶେ ସିନା ଆଗୁଆଳି ହେଲା

ଜୀବନ ତେଜିଲା ରଣେ ।୬୮।

ଭାଗ୍ୟଲିପି ମାତ୍ର ସରଜିଛି ଧାତା

ଆନ ତା ଜାଣିବେ କାହୁ

ବୃଥା ଗର୍ବ ଦମ୍ଭ ମାନ ଅଭିମାନ

ତୁଟି ଯାଏ ଚାହୁଁ ଚାହୁଁ ।୬୯।

ଭବ ରଙ୍ଗ ହାଟେ ହାଟୁଆ ମାତର

କର୍ତ୍ତବ୍ୟ ସଉଦା ଲାଗି,

ସରିଲେ ସଉଦା ଆପଣା ଆଳରେ

ଚଳନ୍ତି ହୋଇ ଉଦବେଗୀ ।୭୦।

ଅସ୍ତ୍ର ଶସ୍ତ୍ର ତୁଲେ ସମର ବୈଭବ

ବଢ଼େ ଅତି ବେଳୁଁବେଳ,

ବେନି ଅନିକିନୀ ନାଦ କୋଳାହଳ

ଗ୍ରାସଇ ସାଗର ରୋଳ ।୭୧।

ଉତ୍କଳୀ ପରାଣେ ଅବମାନନାର

ପ୍ରତିଶୋଧ ବହ୍ନିଜଳେ

ପ୍ରତି ପକ୍ଷ ଅରୀ ଘୃତଲେହ୍ୟ ପ୍ରାୟ

କ୍ଷଣ କ୍ଷଣ ପରଜ୍ୱଳେ ।୭୨।

ବାରଣ ପୃଷ୍ଠରେ ବିଜେ ହୋଇଛନ୍ତି

ହୀରାଖଣ୍ଡ ଛତ୍ରପତି

ଶିରେ ଶୋଭୁଅଛି ବୈଡ଼ୁର୍ଯ୍ୟ ଖଚିତ

ମୁକୁଟର ରମ୍ୟ ଜ୍ୟୋତି ।୭୩।

କଟି ତଟେ ଦୋଳେ ଶାଣିତ କୃପାଣ

କରି ଦନ୍ତ ମୁଷ୍ଠି ଶୋଭା

ଛତ୍ର ଚାମରାଦି ପାରୁଶେ ବିରାଜେ

କପୋଳେ ଚନ୍ଦନ ଆଭା ।୭୪।

ଜୟ ସମ୍ୱଲାଈ ଶବଦ ଶୁଭଇ

ସତେ କି ସାଗର ଘୋଷ

କିଅବା ପ୍ରବଳ ପ୍ରଭଞ୍ଜନ ପୃଷ୍ଠେ

କୃଷ୍ଣ ଜୀମୃତ ନିର୍ଘୋଷ ।୭୫।

କି ବା ଧୂମକେତୁ ପଡ଼ୁଛି କି ମାଡ଼ି

ବିଶ୍ୱଧାତ୍ରୀ ଧରିତ୍ରୀରେ

କିବା ହିମାଚଳ ଉପୁଡ଼ି ପଡ଼ୁଛି

ନ ରହି ସ୍ଥିର ପୀଠରେ ।୭୬।

ଢକ୍‍କା ବିଜିଘୋଷ ମର୍ଦ୍ଦଳ ଡିଣ୍ଡିମ

ମହୁରୀ ଶଙ୍ଗ ଶବଦ

ବୈତାଳିକ ଛନ୍ଦ ସୃଷ୍ଟି ହେଉଅଛି

ସତେ କି ବା ପରମାଦ ।୭୭।

ଶବଦେ ଶବଦେ ରଣ ରଙ୍ଗ ନୃତ୍ୟ

ମାଡ଼ି ଯାଏ ବେଳୁଁ ବେଳ

ଶମନ ବୈଭବ ମର୍ମସ୍ପର୍ଶୀ ଦୃଶ୍ୟ

ସିନା ରଣଭୂମି ସ୍ଥଳ ।୭୮।

ନାଗେଶ୍ୱର ଦେବ ସୈନ୍ୟ ସମାବେଶ

ସ୍ୱୟଂ କରୁଛନ୍ତି ରଣେ

ଶରୀର ପତନ ଅଥବା ପାତନ

ଉତ୍ସାହ ଦିଅନ୍ତି ପ୍ରାଣେ ।୭୯।

ଉତ୍କଳ ନୃପତି ଅପମାନ ଶିଖା

ଜଳାଉଛି ହୃଦବନ

ତାହା ଛିନ୍ନ ଶିର ସିନ୍ଦୁରିତ ରକ୍ତେ

ହେବ ତାହା ନିର୍ବାପନ ।୮୦।

ପ୍ରତିଜ୍ଞା ପୂରଣେ ଅକ୍ଷମ ହୋଇଲେ

ନୃପ ବାହୁଡ଼ିବେ ନାହିଁ,

ନିରଜନା କି ବା ଲଭି ଆସିଛନ୍ତି

ଶମନ ଆଳୟ ପାଇଁ ।୮୧।

ନୃପତିଙ୍କ ଗୁରୁ ଗମ୍ଭୀର ବଚନ

କ୍ଷତ୍ରିୟ ଶୌର୍ଯ୍ୟ ପୌରୁଷ

ସେନାନୀଙ୍କ ଚିତ୍ତ ସମର ଇନ୍ଧନ

ଉପୁଜଇ ଜଳି ରୋଷ ।୮୨।

କାଳାନଳ ପ୍ରାୟ ତୀକ୍ଷ୍ଣ କରବାଳ

ଝଲକଇ ରବି କରେ

ଶ୍ୟେନ ପକ୍ଷୀ ତୁଲ୍ୟ ପିପାସିତ ହୁଏ

କଳିଙ୍ଗ ବୀର ରକ୍ତରେ ।୮୩।

ଏସନ ସମୟେ କି ଭାବନା ଭାବି

ବୀର ସୁରଗୁଜା ଭୂପ

ଏକ ଅକ୍ଷୌହିଣୀ ବରଗିଲେ ଖରେ

ରାଜଧାନୀର ସମୀପ ।୮୪।

ବେନି ଦିଶେ ଚକ୍ର- ବ୍ୟୁହ ପରକାରେ

ହୋଇଲେ ମହା ସମର

ବଳରାମ ଦେବ ସଐଶ୍ୱର୍ଯ୍ୟେ ନିଶ୍ଚେ

ସମର୍ପିବେ ଛିନ୍ନ ଶିର ।୮୫।

ସହସା ଏକାଳେ ନାରାଚ ପତାକା

ଅମ୍ଳାନ ଦିଶିଲା ନଭେ

କି ଶଙ୍କୁନ ତହିଁ ଦୃଷ୍ଟି ହୋଇଗଲା

ଅଜ୍ଞାତ ଥିଲା ସେ ଠାବେ ।୮୬।

ଅତର୍କିତେ ତହିଁ ଉତ୍କଳ ସୈନ୍ୟଙ୍କୁ

ବିପକ୍ଷ ସେନା ନାୟକ

କରକା ବର୍ଷଣ ପ୍ରାୟ ପେଷୁଥିଲେ

ଆମଞ୍ଚି ତୀକ୍ଷ୍ଣ ଶାୟକ ।୮୭।

ବିପର୍ଯ୍ୟସ୍ତ ହେଉ ଥିଲେ ଉତ୍କଳୀୟ

ପ୍ରତିପକ୍ଷ ଶରାଘାତେ

ବିଜୟର ପୋତ ମଜ୍ଜି ଯାଉଥିଲା

ଅନ୍ତର ସାଗର ଗତେ ।୮୮।

ହୀରାଖଣ୍ଡ ଛତ୍ର- ପତି ମହାରାଜ

ସମ୍ୱଲପୁର ନୃବର

ସ୍ୱପକ୍ଷ ସେନାନୀ ପ୍ରଭହୀନ ତେଜେ

ବୁଡ଼ିଥିଲେ ଖେଦସର ।୮୯।

ଲୟ ଥିଲା ମାତ୍ର ସମ୍ୱଲେଶ୍ୱରୀଙ୍କ

ପଦ୍ମ ପୟର ଯୁଗଳେ

ଯା କରୁଣା ବାରି ଲଭି ଏ ଧରାରେ

କୀର୍ତ୍ତି ରହେ କାଳେ କାଳେ ।୯୦।

ଦେବୀ ମାତୃକ ଏ ବିଶାଳ ଉତ୍କଳ

ଗର୍ବିତ ସଦା ଧରାରେ

ଅରୀ ମେଦ ମାଂସ ଗ୍ରହଣେ ତୃପତି

ହୋଇ ଅଛି ସଦା କାଳେ ।୯୧।

★★★

 

ଦ୍ୱିତୀୟ ସର୍ଗ

 

ବଙ୍ଗୀୟ ଯବନ ସେନାନୀ ଗହଣେ

ସ୍ୱୟଂ ବଙ୍ଗ ବାଦଶାହ

କଳିଙ୍ଗ ବିଜୟ ବାସନା ଅନ୍ତରେ

ଯପୁଥିଲେ ଅହରହ ।୯୨।

କେତେ ବାର ଅପ- ମାନ ପାଇ ପୁଣି

ଭାଳନ୍ତି ଆପଣା ଚିତ୍ତେ

ଉଚିତ ସମୟେ ପ୍ରାୟଶ୍ଚିତ୍ତ ନିଶ୍ଚେ

କରିବି ଉତ୍କଳୀ ରକ୍ତେ ।୯୩।

ମାତ୍ର ରଣାଙ୍ଗନେ ଅସମ୍ଭବ ହୁଏ

ବିଜୟ ଲାଳସା ଭାବ

ବାର ବାର ଏହି ସିଂହାସନ ବାସୀ

ଲଭିଲେଣି ପରାଭବ ।୯୪।

ଜାହ୍ନବୀର ତଟ ଆକଟ ହୋଇଛି

ବହୁକାଳୁ ଯବନକୁ

ଉତ୍କଳ ପାଇକ ହେଳେ ଦେଇଛନ୍ତି

ରଣ କଣ୍ଡୁ କ୍ଷତ ଶଙ୍କୁ ।୯୫।

ବିସ୍ମୃତି ଗରଭେ ଥିଲେ ସୁଦ୍ଧା ତାହା

ସ୍ଫୁରି ଉଠେ ବେଳେ ବେଳେ

ଅଙ୍ଗୁ ସିନା ତାହା ଶୁଖିଛି ମାତର

ଚିହ୍ନ ଅଛି କାଳେ କାଳେ ।୯୬।

ବାଦସାହ ଆଉ ଫେରାଇ ନାହାନ୍ତି

ଆଗ୍ନେୟ କୋଣକୁ ଦୃଷ୍ଟି

କଳିଙ୍ଗ ରାଜନ ସୀମା ଲଙ୍ଘିବାକୁ

ସଦାକାଳେ ଲଭି ଭୀତି ।୯୭।

ତଥାପି ହୃଦୟ ନିଭୃତ କୋଣରେ

ରହିଛି ଗୋପନ ବ୍ୟଥା

ଆସିବ ଯଦି ବା ସମୟ ସେପରି

ଲୋଡ଼ିବେ ଉତ୍କଳୀ ମଥା ।୯୮।

ସେ ଦିବସ ବଙ୍ଗ ଦରବାର ପୀଠେ

ଆଗନ୍ତୁକ ବାର୍ତ୍ତାବହ

ରାଜସ ସମ୍ମାନେ ଚିତ୍ରଲେଖ୍ୟ ଏକ

ସମର୍ପିଲା ବାଦସାହ ।୯୯।

ଉତ୍ସୁକ ପରାଣ ସାରା ଦରବାର

ବାଦସାହ ପ୍ରତି ଦୃଷ୍ଟି

ସମ୍ପଦ ବିପଦ କି ବା ଘଟାଉଛି

ବିଶ୍ୱକର୍ମା ପର ମେଷ୍ଠୀ ।୧୦୦।

ଯଥାଯୋଗ୍ୟ ସ୍ଥାନ ଦୂତପ୍ରତି ଲିହି

ସୁଯୋଗ୍ୟ ମନ୍ତ୍ରୀ ପ୍ରବର

ବାଦସାହା ଦେଶେ ପତ୍ର ପାଠକଲେ

ସସ୍ତମ୍ଭିତ ଦରବାର ।୧୦୧।

ଯୁଦ୍ଧ ନିମନ୍ତ୍ରଣ ଅନୁରୋଧ ଛଳେ

ଲିଖିତ ରାଜ ପତ୍ରିକା

ବନ୍ଧୁ ସମ୍ମାନରେ ଜଣାଇ ଅଛନ୍ତି

ଉତ୍କଳ-ଅରାତି-ଟୀକା ।୧୦୨।

‘ଭେଡ଼ନ ତଟିନୀ କୂଳରେ ଅଛନ୍ତି

ସୁରଗୁଜା ନରନାଥ

ସପ୍ତଦିନ ହେଲା ଚାଲିଛି ସମର

ସମ୍ୱଲପୁର ଉଦନ୍ତ ।୧୦୩।

ସମ୍ୱଲପୁରର ରାଜଧାନୀ ପୀଠେ

ନାହାନ୍ତି ପାଇକ ବୀର

ମୁଖରାବ ଗୋଳେ ନିନାଦିତ ହେଉ

ନାହିଁ ବୀରଙ୍କ ହୁଙ୍କାର ।୧୦୪।

ପଶ୍ଚିମ ଉତ୍କଳେ ଅରି ପଦାନତେ

ମାହେନ୍ଦ୍ର ନଗନ ବେଳା

ରାଜଧାନୀ ପୀଠେ ସମର ବିଳାସ

ଜୟଲକ୍ଷ୍ମୀ ବରମାଳା ।୧୦୫।

ଭାରତ ଭୂମିରେ ହିନ୍ଦୁ ମୁସଲମାନ

ବେନି ସହୋଦର ବଳି

ଦୁହିଁଙ୍କ ମଧ୍ୟରେ ମାନ ଅପମାନ

ପ୍ରସ୍ଫୁରକ ଦ୍ରବ୍ୟ ଭଳି ।୧୦୬।

ଉତ୍କଳ ପୀଠରେ କରି ଅବତୀର୍ଣ୍ଣ

ବଙ୍ଗଲକ୍ଷ୍ମୀ ବରପୁତ୍ର

ସ୍ୱଦେଶ ଗୌରବ ଲାଗି ବହୁଥର

କରିଛନ୍ତି ପ୍ରାଣପାତ ।୧୦୭।

ବିଜୟର ଟୀକା ସଦାକାଳେ ଭାଲେ

ନେବେ କି ଉତ୍କଳ ପତି

ଧାତା ଦରବାରେ ଲିପିବଦ୍ଧ କି ବା

ସଦାକାଳେ ହେବେ କ୍ଷତି ।୧୦୮।

ଯେତେ ଦିନ ପୁଣ୍ୟ ଥାଇ ମାନବର

ସେତେଦିନ ସୁଖ ପାଇ

ଅନ୍ତେ ଭାଲାକାଶେ ବିଷାଦ ବାଦଲ

ଧୀରେ ଧୀରେ ଯାଏ ଛାଇ ।୧୦୯।

ହରାଇ ସନ୍ତାନ ପିତା ହୃଦୟରେ

ନ ଥାଏ କି ମହା ଦୁଃଖ

ଜନନୀର ରୂପେ ବିବସାର ଛାୟା

ନ ଆଣେ କି ମନସ୍ତାପ ।୧୧୦।

ରାଜଧାନୀ ପୀଠେ ସମର ଇନ୍ଧନ

ଜଳିଯିବ ପରଜ୍ୱଳି

ଦ୍ରୁମ କର୍ତ୍ତନରୁ ବିବେକୀ ସିନା ସେ

ମୂଳରୁ ଦିଅଇ ଟାଳି ।୧୧୧।

ଶୌର୍ଯ୍ୟ ପୌରୁଷର ପରୀକ୍ଷା ଅଙ୍ଗନ

ବେନୀଙ୍କର ଅରୀ ଏକ

ତୃଷାର୍ତ୍ତର ଭାଗ୍ୟେ ବିଧି ଖଞ୍ଜି ଅଛି

ମଧୁର ଶୀତଳୋଦକ ।୧୧୨।

ତୁମ୍ଭେ ବନ୍ଧୁ ସମ ଦେଉଛି ସନ୍ଦେଶ

ଆନ ନ ଭାବିବ ଚିତ୍ତେ

ଧରାରେ ଗଡ଼ାଇ ଶତୃ ଛିନ୍ନ ଶିର

ଲାଗିବ ସ୍ୱଦେଶ ହିତେ ।୧୧୩।

ପତ୍ର ପାଠ କରେ ସଚିବ ପ୍ରବର

ମଣ୍ଡିଲେ ସ୍ୱୀୟ ଆସନ

ସର୍ବ ଦୃଷ୍ଟି ପଥ ଠୂଳ ହୋଇଅଚି

ବାଦସାହାଙ୍କ ବଦନ ।୧୧୪।

କିବ ଅବା ଅମୂଲ୍ୟ ନିଧି ଲାଭ କଲା

ଦୀନଜନ ଅକସ୍ମାତ

କି ଅବା ଅମୀୟ ପାତ୍ର ପ୍ରାପ୍ତ ହେଲା

ପଥରେ ଚିର ତୃଷାର୍ତ୍ତ ।୧୧୫।

ପୂର୍ବ ଅପମାନ ଶିହରିଲା ଅଙ୍ଗେ

ଅଙ୍ଗୁରିଲା ପ୍ରତିଶୋଧ

ସମ୍ୱଲ ପୁରରେ ଯବନ ସେନାନୀ

କରିବେକି ନରମେଧ ।୧୧୬।

ଅଙ୍ଗୁଷ୍ଠ ପ୍ରବେଶେ ବାହୁ ପ୍ରବେଶଇ

କାଳେ କାଳେ ଏହା ଦେଖ

ପଶ୍ଚିମ ଉତ୍କଳୁ ଗଜପତିଙ୍କର

ଭାଙ୍ଗିଯିବ ଅହମିକା ।୧୧୭।

ଏତେ ଭାବି ବାର୍ତ୍ତା- ବହ କରେ ଦେଲେ

ସମ୍ମତି ପ୍ରତି ଫଳକ

ଯଥାକାଳେ ହେବ ସମ୍ୱଲ ନଗରେ

ସମରର ବର୍ଣ୍ଣୋଦକ ।୧୧୮।

ସୁରଗୁଜା ନୃପ ନାଗେଶ୍ୱର ଦେବ

ଅତୀତ ଚିତ୍ତେ ହରଷ

ରଣାଙ୍ଗନ ମଧ୍ୟେ ଯବନ ଗଣରେ

ଦେଇଛନ୍ତି ସୁସନ୍ଦେଶ ।୧୧୯।

ପଚାଶ ସହସ୍ର ସେନାନୀଙ୍କୁ ଗୁପ୍ତେ

ରଖିଛନ୍ତି ନୃପରାଜ

ଉତ୍କଳ ପଶ୍ଚିମା -ଞ୍ଚଳର ମହୁଡ଼

ଅଭିଯାନ ହେବ ଆଜ ।୧୨୦।

ବଙ୍ଗ ଅନିକିନୀ ଗହଣେ ନିଶ୍ଚୟ

ବିଜୟ ମୁକୁଟ ଧରି

ବାହୁଡ଼ିବେ ପୁରେ ଭାଳନ୍ତି ମାନସେ

ବାମ ଅଙ୍ଗ ଉଠେ ସ୍ଫୁରି ।୧୨୧।

ଚରାଚର ଘୋଟି ଅଛି ଅନ୍ଧକାର

ନିସ୍ତବ୍ଧ ଧରଣୀ କୋଳ

ଲିଭି ଯାଇଅଛି ପଞ୍ଚମୀର ଚାରୁ

ଚନ୍ଦ୍ରମା ଜୋଛନା ଧାର ।୧୨୨।

ସରଗ ବିତାନେ ତାରକା ସୁନ୍ଦରୀ

ବନ୍ଦାଣ ଦୀପାଳୀ ଜାଳେ

କୃଷ୍ଣାଞ୍ଚଳ ମେଲି ନିଶୀଥିନୀ ବାଳୀ

ଗାଏ ସାଇଁ ସାଇଁ ସ୍ୱରେ ।୧୨୩।

ପିକରାଣୀ ଚ୍ୟୂତ ବିଟପରେ ପ୍ରିୟ

ସଙ୍ଗେ ରହିଅଛି ଭୟେ

ବାୟା ବଧୂ ତାର ସୁତାସୁତ ସହ

ନିଦ୍ରିତ ସ୍ୱୀୟ କୁଲାୟେ ।୧୨୪।

ପଲ୍ଲୀ ସୀମନ୍ତିନୀ ପ୍ରେମ ନିଦ୍ରାଭୋଳେ

କାହିଁ ହୋଇଅଛି ମଗ୍ନ

ଅବା ଦୂର ପ୍ରାଣ ପ୍ରିୟ କଥା ଭାବି

ଭାବି ନିଦ୍ରା ଅଚେତନ ।୧୨୫।

ଦୁଃଖିନୀ କେହି ବା ଖେଦ ଗାଥା ଚିନ୍ତି

ନିଦ୍ରାରେ ପଡ଼ିଛି ଶୋଇ

କେଉଁ ସୁକୁମାରୀ କଟିର ବସନ

ଅଚେତେ ଯାଇଛି ଫେଇ ।୧୨୬।

ମାତୃକୋଳ ସୁଖ ଲାଭକରି କୁଳ-

ପ୍ରଦୀପ ନିଦ୍ରାରେ ଭୋଳ

ଜନନୀ ସ୍ୱରଗ- ସୁଧା ଦେଉଁ ଦେଉଁ

ଜଡ଼ିତ ନିଦ୍ରା ପ୍ରବଳ ।୧୨୭।

ମାତ୍ର ଶୁଭୁଅଛି ନିଶାଚର ରବ

ଦୂର ଶମଶାନ ପ୍ରାନ୍ତେ

ଗୋମାୟୁ ଶବଦ ନିଶାକାଳ ସ୍ଥିତି

ଜଣାଏ ଘଡ଼ିକ ଅନ୍ତେ ।୧୨୮।

ଏକାଳେ ପଶ୍ଚିମ ଉତ୍କଳାଧିକାରେ

ଉତ୍ସୁକ ନୃପବେନି

ସତ୍ୱରେ ଚତ୍ୱରେ ଅଭିଯାତ୍ରୀ ଆଜି

ପେଷିଛନ୍ତି ଅକ୍ଷୌହିଣୀ ।୧୨୯।

ନ ଶୁଭଇ ଧ୍ୱନି ନ ଶୁଭେ ଦୁନ୍ଦୁଭି

ଧାମନ୍ତି ଆଶାୟୀ ବୀର

ପୂର୍ବଦିଗୁଁ ଉଷା ନ ଫୁଟୁଣୁ ହେବ

ଅଧିତ ସମ୍ୱଲପୁର ।୧୩୦।

ବଙ୍ଗ ବାଦଶାହ ଭାଳନ୍ତି ଅନ୍ତରେ

ସୁରଗୁଜା ହିନ୍ଦୁବୀର

ମମତା ଜଡ଼ିତ ବିଶ୍ୱାସ କରିବା

ନୋହେ ଉଚିତ ବେଭାର ।୧୩୧।

କେବଳ ମାତ୍ରକ ଦ୍ୱନ୍ଦ୍ୱ ଯୁଦ୍ଧ ଲାଗି

ସ୍ୱୀକୃତ ତାହାର ଟାଣ

ବିଜୟର ଅନ୍ତେ ମହା ହର୍ଷଭରେ

ଲୋଡ଼ିବି ତାହାର ପ୍ରାଣ ।୧୩୨।

ସୁରଗୁଜା ନୃପ ଚିନ୍ତେ ବାଦଶାହ

ଅଟେ ହୀନବୀର୍ଯ୍ୟ ଅତି

ସଦାକାଳେ ମହା ଭୁଜଙ୍ଗ ସଦୃଶ

ଉତ୍କଳ ପାଇକେ ଭୀତି ।୧୩୩।

ଏବେ ଯିବ ଜାଣି ମମ ବୀରପଣ

ସହଚର ହୋଇ ରଣେ

ବିଜୟର ଟିକା ମସ୍ତକେ ଲଭିଲେ

ନ ବାହୁଡ଼ିବେ ସେ ପ୍ରାଣେ ।୧୩୪।

ବେନିଙ୍କ ହୃଦୟେ ବେନି ଭାବ ଛପି

ରହିଛି ନିଭୃତ କୋଣେ

ମାତ୍ର ସଖାତୁଲ୍ୟ ଅକ୍ଷୌହିଣୀ ଦଳ

ପେଷିଛନ୍ତି ଗୁପ୍ତ ରଣେ ।୧୩୫।

ପରାଚୀ ଗଗନେ ଦିନମଣି ଆଭା

ଫୁଟୁଅଛି ଫୁଟିନାହିଁ

ପଲ୍ଲୀବଧୂ ପାଶୁ ନିଶିଥିନୀ ବାଳୀ

ଯାଉଅଛି ଯାଇନାହିଁ ।୧୩୬।

କପୋତ ଦମ୍ପତି ଆଲିଙ୍ଗନ ସୁଖ

ଛାଡ଼ୁଅଛି ଛାଡ଼ିନାହିଁ

ତାରକା ସୁନ୍ଦରୀ ନିଶାପତି ସଙ୍ଗ

ତେଜୁଅଛି ତେଜିନାହିଁ ।୧୩୭।

ଏସନ ସମୟେ ସମ୍ୱଲ କଟକେ

ଅଚାନକ ମୁଖଗୋଳ

ଧର ଧର ମାର- ମାର ଶବଦରେ

ପୂରିଲା ଉତ୍କଳାମ୍ୱର ।୧୩୮।

ପୁରଙ୍ଗନା କେହି ଶଯ୍ୟାତେଜି ଆସି

ଅଙ୍ଗନେ ହୋଇଛି ଉଭା

କେହି ନିଶାବସ୍ତ୍ର ପାଲଟୁଁ ପାଲଟୁଁ

ଶବ୍ଦ ଶୁଣି ହୁଏ କାବା ।୧୩୯।

କେ ନବ ରସିକ ଚାଟୁ ବଚନରେ

ପ୍ରିୟାକୁ ଧରିଛି ଟାଣି

କେହି ଅବା ଶିଶୁ- କୁମାରକୁ କ୍ଷୀର

ଦେଇ କରାଉଛି ତୁନ ।୧୪୦।

ଦମ୍ଭୋଳି ନିର୍ଘୋଷ ପରାୟେ ଶବଦ

ସ୍ତବଧ କରିଲା ପୁର

ହୀରାଖଣ୍ଡ ଅବା କରିବ କି ଗ୍ରାସ

ମହାନଦୀ ଋଦ୍ରଜଳ ।୧୪୧।

ସପ୍ତଦିନ ହେଲା ଯାଇଛନ୍ତି ନୃପ

ସମରୁ ନାହାନ୍ତି ଫେରି

ଅମାତ୍ୟ ପ୍ରଧାନ ଚିତ୍ତେ ଚିନ୍ତି ମହା-

ଶୋକ ଜଳେ ଅଛି ବୁଡ଼ି ।୧୪୨।

କ୍ଷଣୁ କ୍ଷଣେ ନିଦ୍ରା ଭଗ୍ନ ହୋଇଯାଏ

କି ହେଲା ସମରାଙ୍ଗନେ

କାତର ମାତର ହୃଦୟ ଭିତର

ବିଷ ଅଶନେ ବସନେ ।୧୪୩।

ଏତେ କାଳେ ଅବା ରାଜାଙ୍କର ଧର୍ମ

ରବିହେବ ଅସ୍ତମିତ

ଏତେ କାଳେ ଅବା ବଳରାମଦେବ

ହେବେ ଅରି ପଦାନତ ।୧୪୪।

ଅଥବା ରାଜନ ଫେରି ଆସୁଛନ୍ତି

ଶୁଭେ କି ବିଜୟ ଭେରୀ !

ଅବା ମାସାଧିକ ଚଳିବ ସମର

ହୃଦୟ ଉଠଇ ଥରି ।୧୪୫।

ପାଞ୍ଚଦିନ ଅନ୍ତେ ବାରଣ ତାଙ୍କର

ଦେଇଛି ପାଇକ ନାହା

ଏ ଯୁଦ୍ଧ ସଂକଟେ ସମ୍ୱଲାଇ ଦେବୀ

ରାଜାଙ୍କୁ ମାତର ସାହା ।୧୪୬।

ଚିନ୍ତା-ସରିତରେ ଭାସି ଯାଉଁ ଯାଉଁ

ବୀର ଅମାତ୍ୟ ପ୍ରବର

ଆଶାର ଭାବନା ତରଙ୍ଗରେ ଉଠି

ପଡ଼ନ୍ତି ଥରକୁ ଥର ।୧୪୭।

ନିଦ୍ରାଦେବୀ ଆଉ ପ୍ରସନ୍ନ ନୁହନ୍ତି

ତ୍ରିରାତ୍ର ଗଲାଣି ବିତି

ହୃଦୟ କନ୍ଦରେ ଜମି ରହିଲାଣି

ସଲୀଳ-ଉଛୁଳା ଭୀତି ।୧୪୮।

ସେ ଦିନ ମଧ୍ୟାହ୍ନ ପ୍ରହରେ ସଚୀବ –

ବର ପଡ଼ି ଖେଦ ଚିତ୍ତେ

ନିମିଷେ ମାତର ବେନି ନେତ୍ର ମୁଦି

ଗଲା ନିଦ୍ରା ଅଶକତେ ।୧୪୯।

ସ୍ୱପ୍ନରେ ଦେଖିଲେ ସମ୍ମୁଖେ ବିରାଜେ

ଜ୍ୟୋତିର୍ମ୍ମୟୀ ଦଶଭୁଜା

ଭାଷନ୍ତି ଗମ୍ଭୀରେ ‘‘ଚିନ୍ତା କିମ୍ପା ସୁତ !

ମଙ୍ଗଳେ ଅଛି ତୋ ରାଜା ।୧୫୦।

ଥାଟ ଜଗୁଆଳି ମୁହିଁ ରହିଅଛି

ଅଭେଦ କପଚ ତୋଳି

କି କରି ପାରିବ ମଣ୍ଡୁକ ମାତର

ବିଷଧରେ ଆଗୁଆଳି ।୧୫୧।

ଏବେ ବଙ୍ଗଦେଶୁଁ ଯବନ ହକ୍କାରି

ପେଷୁଛି ବୈରୀ ନୃମଣି

କାଲି ଉଷାଦେବୀ ହାସ ନ ଫୁଟୁଣୁ

କମ୍ପିବ ଏ ରାଜଧାନୀ ।୧୫୨।

ଯଥା ବିଧି ଉଜା- ଗରେ ରହିବାକୁ

ଜଗିବୁ ଏ ରାଜବାଟି

ଇଷ୍ଟଦେବୀ ନିଶ୍ଚେ ହୋଇବେଟି ସାହା

ଖଣ୍ଡିବ ସର୍ବ ଅରିଷ୍ଟି ।୧୫୩।

ଏତେ ଭାକ୍ଷି ଦେବୀ ସହସା କ୍ଷଣକେ

ହୋଇଗଲେ ଅନ୍ତର୍ଦ୍ଧାନ

ଅମାତ୍ୟ ପ୍ରଧାନ ଶରୀର ପୁଲକେ

ଭାଜିଲା ନିଦ୍ରା ସ୍ୱପନ ।୧୫୪।

ଦେବୀଙ୍କ ଆଦେଶ ଶିରୋଧାର୍ଯ୍ୟ କରି

ଉତ୍କଳ- ରାଜ- ସଚିବ

ବିଚିତ୍ର ପଲକେ ଗୁପତେ ସମର

ସମ୍ଭାଇଲେ ଅଭିନବ । ୧୫୫।

ପୁରଜନ କେହି ନ ପାରିଲେ ଜାଣି

ଗୁପତ ରହସ୍ୟ ଭେଦ

ଉଷା ଆଗମନୀ ସମର ଡିଣ୍ଡିମ

ହେଳେ ପ୍ରକଟିବ ନାଦ ।୧୫୬।

ଉତ୍ସୁକ ପରାଣେ ବେନି ନରପତି

ସନ୍ଦେଶରେ ଅନିକିନୀ

ଉପଗତ ହେଉଁ ଇରମ୍ମଦ ଘୋଷେ

ପ୍ରକମ୍ପିଲା ରାଜଧାନୀ ।୧୫୭।

ଅଚାନକେ ଗୋଳା କମାଣ ଗରଭୁଁ

ଉଛୁଳି ଉଠିଲା ଖରେ

ପାଇକ ସେନାନୀ ପ୍ରତି ଆକ୍ରମଣ

କଲେ ଶତୃସୈନ୍ୟ ପରେ ।୧୫୮।

ବୈରୀ ଚମୂଗଣ ପତଙ୍ଗ ହୋଇଲେ

ଉତ୍କଳର ବୈଶ୍ୱାନର

ବୈରୀସେନା ରମ୍ଭା ବୃକ୍ଷ ଉତ୍କଳୀୟ

ହେଲେ ମହାଦନ୍ତାବଳ ।୧୫୯।

ସାଗର ପରାୟେ ବେଷ୍ଟିତ ସେନାନୀ

ପଲକେ ହୋଇଲେ ହତ

କେହ୍ନେ ବା ଘଟିଲା କିଏ ଘଟାଇଲା

ଭାଳି ସର୍ବେ ଆଚମ୍ୱିତ ।୧୬୦।

ଅଳପ ମାତ୍ରକ ଓଡ଼ିଶା ପାଇକ

ବିରାଟ ଅରି ସେନାନୀ

ଏକ ପକ୍ଷେ ଅଳ୍ପ ପାଇକ ମାତର

ଆନ ସସ୍ର ଅକ୍ଷୌହିଣୀ । ୧୬୧।

ଏକ ପକ୍ଷ କ୍ଷୁଦ୍ର ଜ୍ୟୋତିରିଙ୍ଗଣ

ଆନ ମାର୍ତ୍ତଣ୍ଡ ମୂରତି

ଏକ ପକ୍ଷ ଖଣ୍ଡ- ଗିରିସମ ସିନା

ଆନ ହିମର ବସତି ।୧୬୨।

ଏକ ପକ୍ଷ ସିନା ବୁଦ୍‍ବୁଦ୍‍ ପରାୟ

ଆନ ପାରାବାର ସମ

କେହ୍ନେ ବା ପ୍ରସ୍ତର ହେଲା ଭାସମାନ

ବିତଳ ଲଭିଲା ପର୍ଣ୍ଣ ।୧୬୩।

କେହ୍ନେ ବାମାକ୍ଷି କାଗଜ ଯୁଦ୍ଧେ ଗଜ

ତେଜିଲା ପ୍ରାଣ–ପ୍ରସୂନ

କେହ୍ନେ ପ୍ରଳୟରେ ଏରଣ୍ଡ ଅଟଳ

ଚ୍ୟୁତ ବୃକ୍ଷ ଚ୍ୟୁତ ସ୍ଥାନ ।୧୬୪।

ହୀରାକୁଦ ଘାଟେ ବାଟ ସଉଦା କି

ବୀରେ କରିବାକୁ ଶେଷ

ସୁଦୁର ରାଉଜ ତେଜି ଆସିଥିଲେ

ଏହି ହୀରାଖଣ୍ଡ ଦେଶ ।୧୬୫।

ଉତ୍କଳ ଜନନୀ ପ୍ରତି ବରଷରେ

ଲୋଡ଼େ କି ହିଙ୍ଗୁଳ ଚିଟା

ହିନ୍ଦୁ ଯବନର ଛିନ୍ନ ଅବୟବ

ରକତରେ ଘନଘଟା ।୧୬୬।

କେହ୍ନେ ମହାନଦୀ ସହିଲା ସଙ୍ଗିନୀ

ଗଣ୍ଠିରତନ ନିଧନ

ଅବା ଅଶ୍ରୁଝରି ସ୍ରୋତ ପରକାରେ

ତନୁ କରିଲା ପ୍ଲାବନ ।୧୬୭।

କନ୍ୟାହସ୍ତେ ଏହି ବିଷାଦ ନିଚୟ

ସନ୍ଦେଶ କିପରି ଦେବ

ସୁରଗୁଜା ମାତା ବିବଶା ଭୂଷଣ

ଚିତ୍ରପଟ ସମର୍ପିବ ? ।୧୬୮।

ଥୋକେ ଚମୂପତି ଜୀବନ ବଞ୍ଚାଇ

ଚିନ୍ତା ସରିତରେ ମଗ୍ନ

ମହାଶଙ୍କା ଚିତ୍ତେ ଉତ୍କଳର ସୀମା

ଲଙ୍ଘିବାରେ ଉଦବିଗ୍ନ । ୧୬୯।

ଅକ୍ଷୌହିଣୀ ସହ ବାହନ ବରଜି

ଛନ୍ତି ସମର ପ୍ରାନ୍ତରେ

ହୃଦେ ଅତି କ୍ରୋଧ ନେବେ ପ୍ରତିଶୋଧ

ସୁରଗୁଜା ନୃପବରେ ।୧୭୦।

ଶୃଗାଳ ସଙ୍ଗରେ ଅବିବେକୀ ସେହି

ଇଚ୍ଛେ ଯେ ମିତ୍ରତା ଭାବ

ବର୍ହୀ ପୁଚ୍ଛେ କାକ ସଜ୍ଜିତ ହେଲେ କି

ନୂନତ ରସ ସମ୍ଭବ ? ।୧୭୧।

ଶୁକ୍ଳ ବାରିଦରୁ ବାରିଧାରା କେବେ

ଆଶାକରେ କି ବିବେକୀ

ଶଠଜନ ସଙ୍ଗେ ସୁହୃଦ ମିଳନ

ଭାବ ରଖେ ଅବିବେକୀ ।୧୭୨।

ତେସନ ଯବନେ ହିନ୍ଦୁରାଜ ସଙ୍ଗେ

ଯେପରି ପ୍ରୀତି ବାନ୍ଧବ

ଅନ୍ଧ ବିଶ୍ୱାସରେ ପଡ଼ିନାହିଁ ସାର

ଲାଭ ମାତ୍ର ପଭାଭବ ।୧୭୩।

ଏକଶତ ମାତ୍ର ଯବନ ସେନାନୀ

ଗହଣରେ ଅବଶେଷ

ସେନାପତି ଶୋକ ଜଡ଼ାଇ ହୃଦୟେ

ଚଳନ୍ତି ଆପଣା ଦେଶ ।୧୭୪।

ତୁଟିଅଛି ଶିର- ସ୍ତ୍ରାଣ, ତୂଣୀ ମଧ୍ୟେ

ବିଲୟ ତୀକ୍ଷ୍ଣ ଶାୟକ

କରବାଳ ଆଦି ଫେଇ ଦେଇଛନ୍ତି

କଳିଙ୍ଗ ବୀର ପାଇକ ।୧୭୫।

କେବେ କେବେ ଅବା ବାଦଶାହ ଚିତ୍ତୁଁ

ହରିବାକୁ ମୁହାଖେଦ

ଚାଟୁ ବଚନରେ ପ୍ରବୋଧ ରଚନ୍ତି

ଚାଟୁପ୍ରିୟ ପରିଷଦ ।୧୭୬।

ଦିନନାଥ ବଙ୍ଗ ନଭ ତ୍ୟାଗ କରି

ସୁରଗୁଜା ନଭସ୍ଥଳେ

ମୁକ୍ତାଭ ବରନ କରଜାଳ ବର୍ଷି

ଦେଉଥିଲେ କୁତୂହଳେ ।୧୭୭।

ମଧ୍ୟମ ପ୍ରହର ଅତୀତ ହୋଇଛି

ତୃଷାରେ ପ୍ରାଣ କାତର

ନାଗେଶ୍ୱର ଦେବ ବିଷାଦ ଶାୟକେ

ଜର୍ଜ୍ଜରିତ ମର୍ମସ୍ଥଳ ।୧୭୮।

ଚିତ୍ତ-ସରୋବରେ ଚିନ୍ତାର କମଳ

ପ୍ରସ୍ଫୁଟିଛି ନୃପଙ୍କର

ଖେଦ ସୌରକରେ ସଉରଭ ତାର

ପ୍ରକଟୁଛି ବାର ବାର ।୧୭୯।

ରାଜଧାନୀ ପୀଠ ସମର ବାରତା

କିବା ହେଲା ଅକସ୍ମାତ

ଭାବନା ସିନ୍ଧୁର ଲହରୀରେ ଭ୍ରମି

ରହିଥିଲେ ନରନାଥ ।୧୮୦।

ଗୁପ୍ତଚର ମୁଖୁଁ ଶୁଣିଲା ବେଳରୁ

ଭେଡ଼ନ ରଣ ଅଙ୍ଗନେ

ହୀନବଳ ପ୍ରାୟ ହୃଦୟ ହୁଅଇ

ଶଙ୍କା ଉପୁଜଇ ମନେ ।୧୮୧।

ଅକସ୍ମାତ୍ ଦୂରେ ଚାହାନ୍ତି ସଭୟେ

ପଶ୍ଚାତେ କେବେ ବା ଦୃଷ୍ଟି

ଅତର୍କିତେ ଅବା ନିଧନ ବିଧାନ

କରୁଛନ୍ତି ପରମେଷ୍ଠୀ ।୧୮୨।

ଖଗବର ଦେଖି କୁଣ୍ଡଳୀ ମାନସ

ଆଲୋଡ଼େ ଯେସନେ ବିଳ

ଯୂଥ ମୃଗ ଯେହ୍ନେ ପଶୁରାଜ ହେରି

ସ୍ୱୀୟ ପରାଣେ ବିକଳ ।୧୮୩।

ଅବା ଦିନମଣି ନିରିମଳ ପ୍ରଭା

ଭୀତି ଅମାରାଣୀ ଚିତ୍ତେ

ଅବା ବନଜୀବ ବାଡ଼ବାଗ୍ନି ଭୟେ

ଆକୁଳ ହୃଦୟ ଗତେ ।୧୮୪।

ବିରସ ତେସନ ନାଗେଶ୍ୱର ଦେବ

ବଦନ ଯାଇଛି ଝଳି

ବିଧିର ବିଧାନ ଅତୀବ ବିଚିତ୍ର

କେ ତାହା ପାରିବ କଳି ।୧୮୫।

ଭାବିଥିବେ ସେ କି ବିଜୟ କେତନ

ଭୂତଳେ ପଡ଼ିବ ଲୋଟି

ପଚାଶ ହଜାର ବୀରବର ସେନା

ଆଶ୍ରା କି କରିବେ ମାଟି ।୧୮୬।

ଯେଉଁ ବୀରଙ୍କର ବାହୁରେ ରାଜନ

ଅଜେୟ ନୃପ ମଣ୍ଡଳେ

ସେହି ବୀର ଆହା ତେଜି ଏକା କରି

ଗମିଲେ ଶମନ ଆଳେ ।୧୮୭।

କିଏ କହେ ରାଜ- ମୁକୁଟ ମଣ୍ଡିତ

ଜନ୍ମର ସାର୍ଥକ ଭବେ

କିଏ କହେ ଧନ୍ୟ ସେହି ନର, ଯାର

ଭଣ୍ଡାର ପୂର୍ଣ୍ଣ ବଭବେ ।୧୮୮।

ନିୟତିର ଗତି ଚମତ୍କାର ଅତି

ନ ଜାଣେ ଧନୀ ନିର୍ଦ୍ଧନ

ନ ବୁଝଇ ରାଜାନ ବୁଝଇ ପ୍ରଜା

ସବୁ ତା ପାଶେ ସମାନ ।୧୮୯।

ଆଜି ଯେ ନୃମଣି କାଲି ସେ ଭିଖାରୀ

ମୁଷ୍ଠି ଭିକ୍ଷା କରେ ଧନ

ଆଜି ଯେ ପ୍ରବଳ କାଲି ସେ ଦୁର୍ବଳ

ପଦ କରଇ ଲେହନ ।୧୯୦।

★★★

 

ତୃତୀୟ ସର୍ଗ

 

ବ୍ୟାକୁଳ କ୍ରନ୍ଦନ ବାଜୀ ହ୍ରେଷା ରବ

କରି ବୃଂହିତ ଚିତ୍କାର

ଶ୍ୱାନ ଶିବା ଗୃଧ ଭୈରବ ନର୍ତ୍ତନ

ବିଭୀଷିକା ମହାଘୋର ।୧୯୧।

ଟଙ୍କିଳ ତରଙ୍ଗା- ୟିତ ଦୁର୍ବାଦଳ

ପିଶୁନ ଜଡ଼ିତ ଧରା

କିଂଶୁକ ପ୍ରସୂନ ପାଖୁଡ଼ା ବିଛାଡ଼ି

ଶେଯ ସଜାଇଛି ପରା ।୧୯୨।

ରଙ୍ଗ ବସନକୁ ଧରିତ୍ରୀ ସୁନ୍ଦରୀ

ଅବା ପିନ୍ଧୁଛି ସଜାଡ଼ି

ଅସ୍ତରାଗ ରବି ହିଙ୍ଗୁଳ ଛିଟା କି

ଭୂତଳେ ଦେଇଛି ଫେଡ଼ି ।୧୯୩।

ରକତ ରଞ୍ଜିତ ଛିନ୍ନଶିର କାହିଁ

ମୁଦିଛି ଚିର ନୟନ

ଅଦୂରେ ଧରଣୀ ବକ୍ଷେ ଗଡ଼ୁଅଛି

ଛିନ୍ନ ଅବୟବ ଗଣ ।୧୯୪।

ପ୍ରାଣ ଶୂନ୍ୟ ଘଟ କ୍ଷତ ବିକ୍ଷତରେ

ପଡ଼ିଅଛି ବାଜିରାଜ

ଗଜବର ଆହା ଚିରକାଳ ଲାଗି

ମୁଦିଛି ନେତ୍ର ସରୋଜ ।୧୯୫।

ଭବ ବିପଣୀର ବିଭବ ବରଜି

ଚିର ନିଦ୍ରା ଅଶକତ

ସମର ପ୍ରାଙ୍ଗଣ ଅହୋ କି ଭୀଷଣ !

କି ଅଦ୍ଭୁତ ଭୀମକାନ୍ତ ।୧୯୬।

ନରମେଧ ଯଜ୍ଞ କ୍ରିୟା ଅନୁଷ୍ଠାନ

ଆହୁତି ରକ୍ତଫଳକ

ଆର୍ତ୍ତନାଦ ସ୍ୱର ମନ୍ତ୍ର ଜପ ହୁଏ

ପ୍ରସୂନ ଛିନ୍ନ ମସ୍ତକ ।୧୯୭।

ପ୍ରଭୁ ଗୁଣ ଗାଇ ରଣ ଯଜ୍ଞାନଳେ

ଝାସନ୍ତି ଆପଣା ଦେହୀ

କାହାର ବା ରାଜ୍ୟ କିଏ ବା ଭୋଗିବ

ଅଜର ଅମର ହୋଇ ।୧୯୮।

କ୍ଷଣିକ ବୁଦ୍‍ବୁଦ ପ୍ରାୟ ଜନ୍ମି ପୁଣି

ଭାସ ମୃତ୍ୟୁ ସିନ୍ଧୁ ଜଳେ

ହିଂସା ଦ୍ୱେଷ ଗୁଣ ଅବିବେକୀ ପଣ

ନାମ ରହେ ସଦାକାଳେ ।୧୯୯।

ଏହି ଯେ ସେନାନୀ ତେଜିଛନ୍ତି ପ୍ରାଣ

ଏହି ସମର ଅଙ୍ଗନେ

ଜୀବିତ ଅଛନ୍ତି ଯେତେ ଅନିକିନୀ

ଶଙ୍କା ବା ହରଷ ମନେ ।୨୦୦।

ଦିନେ ନା ଦିନେ ତ ସରବେ ତେଜିବେ

ଏହି ଧରଣୀର ପୃଷ୍ଠ

ଏହିପରି କାୟା ଶ୍ମଶାନେ ଗଡ଼ିବ

ହୋଇ ଗୋମାୟୁ ଉଚ୍ଛିଷ୍ଟ ।୨୦୧।

ବୀରଦର୍ପ ଭରେ ନାଗେଶ୍ୱର ଦେବ

ଭିଆଇଲେ ସିନା ଗୋଳ

ଭବିଷ୍ୟତ ମାତ୍ର ଅଜ୍ଞେୟ ଅଦୃଷ୍ଟ

କଳ୍ପନାରେ କାହୁଁ ଫଳ ।୨୦୨।

ସମ୍ୱଲେଶ୍ୱରୀଙ୍କ ଜୟନାଦ ଉଠେ

ଉଡ଼ୁଛି ଉତ୍କଳ ଧ୍ୱଜା

ଭାବନାରୁ ଫେରି ସମ୍ମୁଖକୁ ହେରି

ଚମକି ଉଠିଲେ ରାଜା ।୨୦୩।

ଅଚାନକେ କରେ ଲୌହ କଙ୍କଣ କି

ମଣ୍ଡିତ ହେଲେ ନୃମଣି

ଅଚାନକେ ଅବା ଉତ୍କଳ ନୃପଙ୍କୁ

ସମର୍ପିଲେ ମଥାମଣି ।୨୦୪।

ଜାଗ୍ରତ ସ୍ୱପନ ଦେଖୁ ନାହାନ୍ତି ତ

ସୁରଗୁଜା ନରପତି

ଦୃଷ୍ଟି ଫେରାଇଣ ନିରେଖି ଅନାଉଁ-

ଥାନ୍ତି ରଣ ଚଉକତି ।୨୦୫।

ଅଳପ ମାତର ସୈନ୍ୟ ରହିଅଛି

କ୍ଷୀଣ ଦୀପାଲୋକ ମତି

ଏ ରଣଅଙ୍ଗନ ଅନ୍ତରକୁ ଚିରି

ହେଳେ ବଢ଼ାଉଛି ଭୀତି ।୨୦୬।

କିମ୍ପା ଅକ୍ଷୌହିଣୀ ପେଷିଲେ ସେ ଠାବେ

ବୃଥା ଆଶା ବହି ମନ

ଏବେ ମହାଚିନ୍ତା ଘାରିଲା ହୃଦୟ

ତୁଟିବ ରାଜସମ୍ମାନ ।୨୦୭।

ମହା ଭାବନାରେ ସୁରଗୁଜା ରାଜ

ହୃଦୟେ ଭୟ ବତାସ

ଏସନ ସମୟେ ନିନାଦିତ ହେଲା

ପ୍ରତିପକ୍ଷ ଜୟ ଘୋଷ ।୨୦୮।

ସାଗର ଲହରୀ ପ୍ରାୟ ଧାଉଁଛନ୍ତି

ଉତ୍କଳ ପାଇକ ଥାଟ

ରଣରଙ୍କା ବୀର ମହା ହରଷରେ

କରନ୍ତି ବୈରବ ନାଟ ।୨୦୯।

ଦ୍ୱାଦଶ ଦିବସ ପୂର୍ଣ୍ଣ ହେଉଅଛି

ପ୍ରତୀଚୀ ଗଗନେ ରବି

ଅନନ୍ତ ଦିଗନ୍ତ ନଭୋଦେଶେ ଦିବ୍ୟ

ହାଟକ ବରନ ଛବି ।୨୧୦।

ଦୂର ବନ ଧାରେ କନକିତ ବୋଳା

ସୌରକର ମନ ରଞ୍ଜେ

ମଳୟ ସମୀର ପତ୍ର ରନ୍ଧ୍ରେ ରନ୍ଧ୍ରେ

ମର୍ମ୍ମର ତାନେ ଗୁଞ୍ଜେ ।୨୧୧।

ଗୋଧନ ବାହୁଡ଼ା ମଧୁ ବଂଶୀସ୍ୱନ

ଶୁଭେ ଦୂର ପଲ୍ଲୀଦେଶେ

ଛପି ଛପି ସନ୍ଧ୍ୟା ବାଳୀ ଆସୁଅଛି

ତନ୍ଦ୍ରା ଜଡ଼ିତ ଅଳସେ ।୨୧୨।

ତାର କୋରକିତ ହୋଇ ନାହିଁ ନଭ

ସ୍ଫୁରିନାହିଁ ଚନ୍ଦ୍ରଧାର

ଏସନ ସମୟେ ନାଗେଶ୍ୱର ଦେବ

ବନ୍ଦୀ ହେଲେ ଯୁଦ୍ଧସ୍ଥଳ ।୨୧୩।

ଦିବ ଲୋକୁ ମୃଗା— କେନ୍ଦୁକୁ ଅବା କି

ମହା ଘୋର କଲା ଗ୍ରାସ,

ପ୍ରସ୍ଫୁଟିତ ପାରି— ଜାତ ପୁଷ୍ପ ଅବା

ମହା ନିଳେ ଗଲା ନାଶ ।୨୧୪।

ହେମ ଗୌରକର ବେନି ଶୋଭାକର

ଲୌହ କଙ୍କଣ ଜଡ଼ିତ;

ମୁଖପଦ୍ମେ ଆହା ପରଶି ଦେଲା କି

ବିଷାଦ ଶିଶିର ପାତ ।୨୧୫।

ଏକାଳେ ସହସା ସମରରେ ଗୋଳ

ଉଠିଲା ଦମ୍ଭୋଳି ଘୋଷେ,

ସାମନ୍ତଙ୍କ ସହ ବଳରାମ ଦେବ

ଦୃଷ୍ଟି କଲେ ସେହି ଦିଶେ ।୨୧୬।

ଉନ୍ମୁକ୍ତା କୁନ୍ତଳା ବୀରାବେଶେ ଉଭା

ସୁରଗୁଜା ରାଜସୁତା

ଯୁଦ୍ଧସ୍ଥଳେ ହୋଇ- ଅଛି ଉପସ୍ଥିତ

ଉଦ୍ଧରିବ ଅବା ପିତା ? ।୨୧୭।

ଲୋଚନ ଯୁଗଳେ ମାର ରମ୍ୟଜ୍ୟୋତି

ବିକଶିଛି ସୁସୌରଭ;

ଭୂରୁଦ୍ୱୟ ଶକ୍ର କୋଦଣ୍ଡ ଆକୃତି

ନିନ୍ଦୁଅଛି କଇରବ ।୨୧୮।

ସୁଠାମ ସୁଗୋଲ ତନୁଲତା କି ବା

ରସାଣିଛି ପଞ୍ଚଶର

ବକ୍ଷଦେଶେ ଥାପି ବେନି ସୁଧାକୁମ୍ଭ

ତରୁଣ-କୁଳ ଆକୁଳ ।୨୧୯।

ପୀନ କଟିତଟ ଭାଜି କି ପଡ଼ିବ

ଯଉବନ ଚାପ ପାଇ,

କାଞ୍ଚଲା ଜଡ଼ିତ ତନୁଲତା ଆଭା

ଫୁଟି ହେଳେ ବିକଶଇ ।୨୨୦।

ଢଳ ଢଳ ଅବା ଆଲୋହିତ ରକ୍ତ

ଗୋଲାପ ଚମ୍ପକ ମିଳି

ଧୀରେ ସମୀରର ପରଶେ ଦରଦୀ

ହୃଦୟ ପଡ଼େ କି ଢଳି ।୨୨୧।

ଚକ୍ରବାଳ ପରୁ ଅସ୍ତରାଗ ଛିଟା

ବର୍ଣ୍ଣକୁ ତୋଳି କି ବିହି

କନକ ବରନ ଅଙ୍ଗୁଳି ଅଗ୍ରରେ

ମଣ୍ଡିଛି ତୂଳିକା ଦେଇ ।୨୨୨।

ନୀଳ ଲହରୀରୁ ବାଛି କବରୀ କି

ଯତ୍ନେ ଗଢ଼ିଛି ଅନଙ୍ଗ

ରକ୍ତ କୋକନଦ ରଙ୍ଗ ଅଧରେ କି

କରାଇଛି ପ୍ରତିବିମ୍ୱ ।୨୨୩।

ସୁନ୍ଦରୀ ଲଲାମ ରଦନ ପନ୍ତିକୁ

ନିନ୍ଦୁଛି ଡାଳିମ୍ୱ ବୀଜ

ବଦନମଣ୍ଡଳ ବିକଶିତ ଅବା

ନଭେ ରାକାଶଶୀ ତେଜ ।୨୨୪।

ପୟର ଯୁଗଳ ଶୋଭା ବଢ଼ାଉଛି

ହେଳେ ଅଳକ୍ତକ ରସ

ବର ବରନୀର ସୁଷମାକୁ ଚାହିଁ

ଦେବଗଣେ ହେବେ ବଶ ।୨୨୫।

ଏକାକିନୀ ବାଳା ଗଡ଼ଦ୍ୱାର ତେଜି

ଯୁଦ୍ଧକୁ ଆସିଛି ଚଳି

ବିଷାଦ ଜଡ଼ିତ ଅନ୍ତର ସିନାଟି

ପିତୃସ୍ନେହ ଭାଳି ଭାଳି ।୨୨୬।

ଏକମାତ୍ର କୁଳା-ଙ୍କୁର ସିନା ବାଳି

ଅଟେ ପିତାଙ୍କର ଠୁଳେ,

ଆଦର ସୋହାଗ ମର୍ତ୍ତ୍ୟେ ଯା ଦୁର୍ଲଭ

ପିତା ଦେଉଥିଲେ ହେଳେ ।୨୨୭।

ଅତର୍କିତେ ବାଳା ତନୁଲତା ମଣ୍ଡି

ଥିଲେ ସୁଦ୍ଧା ରତିନାଥ

ବାଲ୍ୟ ଚପଳତା ନ ଥିଲା ମଉଳି

ନ ଥିଲା ତ ଶଙ୍କା ଚିତ୍ତ ।୨୨୮।

ଦିବସ ଦିବସ ଅପସରି ଗଲା

ବାହୁଡ଼ି ନ ଗଲେ ପିତା

ଧୈର୍ଯ୍ୟ ଧରି ବାଳୀ ନ ରହିଲା ଆଉ

ଶୁଣିଣ ଯୁଦ୍ଧ ବାରତା ।୨୨୯।

ସନ୍ତାନ ସିନା ସେ ସମ୍ପଦେ ବିପଦେ

ପିତାଙ୍କୁ ସାହା ହୁଅଇ,

ପୁତ୍ ନାମ ନର୍କୁ ଉଦ୍ଧାରିବା ପାଇଁ

ପୁତ୍ର ନାମ ବହିଥାଇ ।୨୩୦।

ଧିକ ସେ ସନ୍ତାନ ଯେ ଆତ୍ମସମ୍ଭୋଗ

ପାଇବା ଲାଗି ତତ୍ପର

ବୃଦ୍ଧ ପିତାମାତା ସୁଖ ବରଜଇ

ଧିକ ତା ଜନ୍ମ ଅସାର ।୨୩୧।

ପଳ ପଳ ମାଂସ ଦେଇ ନିଜ ଦେହୁଁ

ଗଢ଼ନ୍ତି ଜୀବନୁଁ ବଳି

ଦିବସ ରଜନୀ ବିତିଯାଏ ରହି

ଶିଶୁବେଳୁ ଜଗୁଆଳି ।୨୩୨।

ଅଭାଗ୍ୟରୁ ନୃପ ପୁତ୍ର ଚାରୁମୁଖ

ସୁଖରୁ ହୋଇ ବଞ୍ଚିତ,

ଏକମାତ୍ର କନ୍ୟା କୁଳରତ୍ନା ପାଇ

ମଣୁଥିଲେ ପୁତ୍ରବତ୍ ।୨୩୩।

ଜେମାମଣି ବାଲ୍ୟ- ବୟସୁ ରାଜସ

କୁଳ ରୀତି ଅନୁଯାୟୀ

ସର୍ବ ଶିକ୍ଷାମାନ ଶେଷ କଲେ ସୁଦ୍ଧା

ଯୁଦ୍ଧରେ ହୋଇଲା ସ୍ନେହୀ ।୨୩୪।

ମୃଗୟା ବିନୋଦେ ବାହାରିଲେ ନୃପ

ସଙ୍ଗେ ନେଉଥିଲେ ବାଳୀ

ରାଜଦରବାର ଅଳଙ୍କୃତ କରୁ –

ଥିଲା ସେ ଜେମା ମଉଳି ।୨୩୫।

କନ୍ୟା ହୃଦ-ଭକ୍ତି— ରସେ ସ୍ନାନ କରୁ–

ଥିଲେ ପିତା ହରଷରେ

ବାତ୍ସଲ୍ୟ ମମତା ଭରା ପିତୃସ୍ନେହ

କନ୍ୟା ଲଭୁଥିଲା ହେଳେ ।୨୩୬।

ଜନକଙ୍କ ସ୍ନେହ ଭାଳି ଭାଳି ବାଳୀ

ଆସିଛି ସମରାଙ୍ଗନ

ଅୟସ୍କାନ୍ତମଣି ଶଳାକାକୁ ଯେହ୍ନେ

ଚୁମ୍ୱକର ଆକର୍ଷଣ ।୨୩୭।

ସମର ଅଙ୍ଗନେ ଆସି ପଦାର୍ପଣ

କରୁ କରୁ ଜେମାମଣି

ସ୍ୱନେତ୍ରେ ଦେଖିଲା ଜନକଙ୍କୁ ବନ୍ଦୀ

କରନ୍ତି ଉତ୍କଳମଣି ।୨୩୮।

ଉତ୍କଳ ନୃପର ଜନକଙ୍କ ପ୍ରତି

ଏ ଦୁର୍ବହ ବ୍ୟବହାର

ଶିରହଣ କଲା ବାଳୀୟ ହୃଦୟେ

ରୋଷକଷାୟିତ ଧାର ।୨୩୯।

ସହସା ଲୋଚନ ଯୁଗଳର ଜ୍ୟୋତି

ରଥାଙ୍ଗ କଲା ଧାରଣ

ଉତଫେଣ ଫଣୀର ପ୍ରାୟ ନାସାରନ୍ଧ୍ରେ

ବହିଲା ଖର ପବନ ।୨୪୦।

କିଏ ଜାଣିଥିଲା କ୍ଷଣକରେ ପୁଣି

ସେ ପ୍ରେମ-ଶୋଭା-ଅପ୍ସରୀ

ରୂପ ପାଲଟାଇ ଉଭା ହେବ ତହିଁ

ଭୀମ ରଣଚଣ୍ଡି ପରି ।୨୪୧।

ଶିରୀଷ କୋମଳ ପ୍ରସୂନ ପାଖୁଡ଼ା

କଣ୍ଟକେ ହେବ ନିର୍ମାଣ,

ନବନୀତ ହେବ ପାଷାଣ ସଦୃଶ

ବିଧି ହେଲେ ବିଡ଼ମ୍ୱନ ।୨୪୨।

କ୍ରମେ ସେ ସ୍ୱର୍ଣ୍ଣାଭ ବଦନ ଧରିଲା

ରକ୍ତ କୋକନଦ ରଙ୍ଗ

ହୃଦ-ପାରାବାରେ ହିଲ୍ଲୋଳି ଉଠିଲା

ଉତ୍ତୁଙ୍ଗ ରୋଷ ତରଙ୍ଗ ।୨୪୩।

ଅବଳା ବୋଲି କେ କହିବ ତାହାକୁ

ଏକାକିନୀ ସେ ସମରେ

କରେ କରବାଳ ଧରି ଅଚାନକେ

ଉଭା ହେଲା ସଦର୍ପରେ ।୨୪୪।

ଅଳମ୍ୱୁଷା ସିନା ଧରରେ ସମୀରରେ

ହୋଇଯାଏ ବ୍ରୀଡ଼ାବତୀ

ମହା ପ୍ରଳୟରେ ଦୂର୍ବାଦଳ ହୃଦେ

ମାତର ନ ଥାଏ ଭୀତି ।୨୪୫।

ଉଲ୍ଲକା ସମ ବାଳୀ ନାରାଚ ବରଷି –

ଗଲା ସେ ସମରାଙ୍ଗନେ

ଅତର୍କିତେ ତୀକ୍ଷ୍ଣ କୃପାଣ ଆମଞ୍ଚି

ଭାଷିଲା ରୁକ୍ଷ ବଚନ । ୨୪୬।

ମାତ୍ର ହେବ କିସ କ୍ଷୁଦ୍ର ଫେନ ବାଳୀ

ପାଇକ-ସଇନ ସିନ୍ଧୁ

ଖଦ୍ୟୋତ ପରାୟ ସିନା ଜେମାମଣି

ବୈରୀଗଣ କୋଟି ଇନ୍ଦୁ ।୨୪୭।

ସମର ପୀଠରେ ବୀର ଜୟଦେବ

ନୃପଙ୍କ କୁଳ-ପ୍ରସୂନ

ପିତାଙ୍କ ସାନ୍ନିଧେ ରଣଯଜ୍ଞ ବେଦୀ

କରିଣ ଥିଲେ ମଣ୍ଡନ ।୨୪୮।

ରାଜସୁତା ପରେ ଅତର୍କିତ ଦୃଷ୍ଟି

ପଡ଼ିଗଲା କାହାଙ୍କର

ମନ ମୀନ ଆହା ବନ୍ଦୀ କରିଲା କି

ବାଳାମଣି ପ୍ରେମ ଡୋର ।୨୪୯।

ଯୁବା ଯୁବତୀଙ୍କ ଚାରି ଚକ୍ଷୁ ମିଳି

ସ୍ଥିର ହୋଇଗଲା କ୍ଷଣେ

ଅନୁଭବୀ ସିନା ଅନୁଭବୀ ଜାଣେ

କି ମନ୍ତର ଆଣେ ପ୍ରାଣେ ।୨୫୦।

ଅଚାନକେ କ୍ଷତ ବାଳାମଣି ହୃଦେ

କଲା ଦେବ ପଞ୍ଚଶର

ସୁପ୍ତ ପ୍ରେମ ସ୍ରୋତ ହୃଦୟ କନ୍ଦରୁ

ବହିଲା କି ଝରଝର ।୨୫୧।

ସର୍ବ ରୋମାବଳୀ ପୁଲକି ଉଠିଲା

ତୁଟିଲା ବଳ ସତ୍ୱର

ଆନ ଦୃଷ୍ଟି ହେଉଁ ଖସି ଭୂମିପରେ

ପଡ଼ିଗଲା କରବାଳ ।୨୫୨।

ଭୀତ ଚମକିତ ହୃଦେ ବାଳାମଣି

ତୋଳି ଧରୁ କରବାଳ

ଦେଖିଲା ପାଇକ ନାହା କରପୁଟେ

ହାସ୍ୟ ଉଠେ ସେନାଙ୍କର ।୨୫୩।

ଦୀପ୍ତିମନ୍ତ ଚକ୍ଷୁ ମଉଳି ପଡ଼ିଲା

ଏ କି ହେଲା ଭାବି ଭାବି

ପ୍ରବଳ ହୃଦୟ ଦୁର୍ବଳ ହୋଇଲା

ପ୍ରୀତି ସଲିଳରେ ଦ୍ରବି ।୨୫୪।

ଯୁବାବର ହୃଦେ ତେସନେ ଗୋପନେ

ଅଙ୍କୁରିଲା ପ୍ରେମଲତା

ଧୈର୍ଯ୍ୟ ବୀର୍ଯ୍ୟ ସର୍ବ କ୍ଷଣକ ମଧ୍ୟରେ

ଜାଳିଲା ପ୍ରେମ ସଳିତା ।୨୫୫।

ପ୍ରେମୀ ଲୋକ ଜାଣେ ପ୍ରେମର ମହତ୍ତ୍ୱ

କି ଅମୂଲ୍ୟ ଭାବ ସେହି

ଯୋଗାସନ ସୁଖ ଯୋଗୀଙ୍କୁ ଗୋଚର

ଆନ ତା ଜାଣିବେ କାହିଁ ? ୨୫୬।

ଜେମାମଣି ମୁଖ ଚନ୍ଦ୍ରମାକୁ ଚାହିଁ

ନବୀନ କିଶୋର ଯୁବା

ଚାତକ ପରାୟେ ଆଶାୟୀ ଚିତ୍ତରେ

ମେଲିଲା ଅଥିର ଲୋଭା ।୨୫୭।

ଅପୂରବ ବ୍ୟଥା ମରମ କନ୍ଦରେ

ଅନୁଭବ କଲା ବୀର

ଅପ୍ରମିତ ବଳ ସମର ଜୀଗୀଷା

ବିସ୍ମୃତିରେ ହେଲା ଦୂର ।୨୫୮।

ବାର ବାର ଦୃଷ୍ଟି ହେଲା ଅମାନିଆଁ

କି ମନ୍ତର କଲା ବାଳୀ

ଅନାଇଲେ ଯେତେ ଆହୁରି ଦେଖିବା-

ପାଇଁ ନେତ୍ର ନିଉଛାଳି ।୨୫୯।

ଏ ମର୍ତ୍ତ୍ୟମଣ୍ଡଳେ ଦୁର୍ଲଭ ଏପରି

ଯୁବତୀ ଲଲାମ ଆଶା

ସର୍ବ ସୌନ୍ଦର୍ଯ୍ୟକୁ ଠୂଳ କରି ଅବା

ବିହି ବିହିଛି ଏ ଯୋଷା ।୨୬୦।

ସ୍ୱର୍ଗ ଅପସରୀ ଅବା ବିଜେ କଲା

ଏ ଭୀମ ରଣ ପ୍ରାନ୍ତର

ଅବା ହୋଇଥିବ ଅଙ୍କ-ବିଳାସିନୀ

କେଉଁ ଗୁପ୍ତ ଦେବତାର ।୨୬୧।

ଅବା ମାୟାଧରୀ କେଉଁ ଯକ୍ଷ ନାରୀ

କରଅଛି ପଦାର୍ପଣ

ଅବା ରତିପତି ସଙ୍ଗ ତେଜି ରତି

ଆସିଲା ଏହି ଅଙ୍ଗନ ।୨୬୨।

ବେନି ହୃଦେ ଏକ ଭାବନା ଉଠଇ

ସିନ୍ଧୁ ତରଙ୍ଗ ସମାନ

ଭୁଲିଗଲେ ବେନି ଯୁଦ୍ଧସ୍ଥଳ କଥା

ଭୁଲିଲେ ଆତ୍ମୀୟ ଜନ । ୨୬୩।

ସୁନ୍ଦର ପଣରେ ବେନି ପଟାନ୍ତର

ଏକ ଆରେକ ବଳି

ଏକ ପ୍ରେମମୟ- ଭ୍ରମର ନାଗର

ଏକ ଚାରୁ ପୁଷ୍ପ ଭଳି ।୨୬୪।

ଏକ ଶରତର ପୂର୍ଣ୍ଣ ଶଶଧର

ଆନ କିବା ଜ୍ୟୋତ୍ସ୍ନାରାଣୀ

ଏକ ଫାଲ୍ଗୁନର ମଳୟ ବସନ୍ତ

ଆନ କି ଗୋଲାପରାଣୀ । ୨୬୫।

ଏକ ପ୍ରକୃତିର ହାସ୍ୟମୟୀ ଛଟା

ଆନଟି ଗୋଧୂଳି ସନ୍ଧ୍ୟା

ଏକ ମନୋହର ପଞ୍ଚମ ରାଗିଣୀ

ଅପର ରାଗିଣୀ-ଛନ୍ଦା । ୨୬୬।

ଏ ସର୍ବ ବୃତ୍ତାନ୍ତ ଦେଖୁଥିଲେ ସ୍ୱୟଂ

ନୃମଣି ସମ୍ୱଲପୁର

ଗୋପନ ଭାବନା ପ୍ରେମମନ୍ତ୍ର ଯାହା

ଥିଲା ବେନି ହୃଦୟର ।୨୬୭।

ପ୍ରୀତି କି ଦରଦ ହେଳେ ଯୋଡ଼ିଦିଏ

କିଶୋର କିଶୋରୀ ପ୍ରାଣ

ଧନମାନ ସର୍ବ ବରଜି ଧାମଇଁ

ଅଜଣାରେ ତତକ୍ଷଣ ।୨୬୮।

ଉତ୍ତଳ ଆଶାର ମରୀଚିକା ନାଚେ

ପୁଲକ ପ୍ରାଣ-କାନ୍ତାରେ

ସରଗ ମାଧୂରୀ ସୁଖ ଭରିଦିଏ

ବେନି ନବ ହୃଦୟରେ ।୨୬୯।

ଅବଳା ଦୁର୍ବଳା ପିତୃସ୍ନେହ ବଶେ

ଏକାକିନୀ ହୋଇ ବାଇ

ଏ ଘୋର ସମରେ ଝାସ ଦେଇଅଛି

ସ୍ୱଦେଶ ଗୌରବ ପାଇଁ ।୨୭୦।

ଅକାତରେ ସ୍ୱୀୟ ପ୍ରାଣ ବିସର୍ଜିବା

ପାଇଁ ଆସିଛି ବାଳୀଶ

କ୍ଷତ୍ରି ସିନା ରକ୍ତ ଦେଇପାରେ ବୁକୁଁ

ଜୀବନ ନ ରଖି ଆଶ୍ରୟ ।୨୭୧।

★★★

 

ଚତୁର୍ଥ ସର୍ଗ

 

ସମ୍ୱଲ ନଗର ହର୍ଷେ ଉନମତ୍ତ

ଲାଗିଅଛି କୋଳାହଳ

ବିଜୟ ଗୌରବେ ଫେରିଛନ୍ତି ନୃପ

ସରିଛି ଯୁଦ୍ଧ କହଳ ।୨୭୨।

ପୁରେ ପୁରେ ଜନ— ପଦୁଁ ଜନପଦେ

ଶୁଭୁଅଛି ଶଙ୍ଖନାଦ

ଲଳିତ ମଧୁରେ ବାଦ୍ୟ ନାଦ ଉଠେ

ମିଳିଛି ଅବା ସମ୍ପଦ ।୨୭୩।

ଆନନ୍ଦ ଲହରୀ ଖେଳୁଅଛି ବୀର

ଉତ୍କଳ ସନ୍ତାନ ପ୍ରାଣେ

ସମରରୁ ଫେରି ବାଳୀ ମୁଖଚନ୍ଦ୍ର

ଦେଖଇ ପ୍ରେମ-ଦର୍ପଣେ ।୨୭୪।

ବିଚ୍ଛେଦ ଯାତନା ମହା ଦୁଃଖ ସିନା

ଯୁବା ଯୁବତୀଙ୍କ ପ୍ରାଣେ

ମିଳନ ମାଧୁରୀ ସ୍ୱର୍ଗାଦପି ସୁଖ

ଅନୁଭବୀ ସିନା ଜାଣେ ।୨୭୫।

ଯେତିକି ବିଚ୍ଛେଦ ଯାତନା ଘଟଇ

ଦ୍ୱିଗୁଣେ ମିଳଇ ସୁଖ

ହୃଦୟ ମିଳନ ପ୍ରେମାଶ୍ରୁ ବର୍ଷଣ

ନିରେଖିଲେ ଚନ୍ଦ୍ରମୁଖ ।୨୭୬।

ନିଶୀଥିନୀ ଯେବେ ବିହରୁ ନ ଥାନ୍ତା

ଥାନ୍ତା କି ଆଦିତ୍ୟ ଆଭା;

କଜ୍ଜ୍ୱଳ ନ ଥିଲେ ନେତ୍ର ସରୋଜ କି

ମୁକୁରେ ଦିଶନ୍ତା ଶୋଭା ? ୨୭୭।

ଉଛୁଳା ସେନେହେ ବର ବରନୀକୁ

ପାଇ ଯୁବା ମଣେ ଧନ୍ୟ

କାନ୍ତ ହୃଦୟରେ ବାଳାମଣି ମୁଦେ

ଲୁଚାଏ ଚନ୍ଦ୍ରବଦନ ।୨୭୮।

ଏପରି ହରଷ ପ୍ରାଣେ ଚଉଦିଗେ

ଉଛୁଳେ ଆନନ୍ଦ ଲୀଳା

ଆତପ ତାପରେ ଚନ୍ଦନ ଲେପନ

ଗାତ୍ରେ ହୋଇଅଛି ପରା ।୨୭୯।

ରାଜବାଟୀ ଗଡ଼ ସଭା ମଣ୍ଡପରେ

ଚାଲିଅଛି ଦରବାର

ବିଜେ ହୋଇଛନ୍ତି ବୀର ବଳରାମ

ସମ୍ୱଲପୁର ଈଶ୍ୱର ।୨୮୦।

ପାରୁଶରେ ଉଭା ସାମନ୍ତ ନୃପତି

ସାରଙ୍ଗ ବୁଢ଼ା ସମ୍ୱର

ଫୁଲଝର ନୂଆ— ଗଡ଼ ଗାଙ୍ଗପୁର

ଖଡ଼ିଆଳ ସୋନପୁର ।୨୮୧।

ବାମଣ୍ଡା ବଣେଇ ପାଟଣା ବଉଦ

ରେଢ଼ାଖୋଲ ବରଗଡ଼,

ଶକତି ବିନ୍ଦରା *ଦ୍ୱ -ଷଷ୍ଠ ମଲ୍ଲିକ

ଚନ୍ଦ୍ରପୁର ରାୟଗଡ଼ । ୨୮୨।

ଦିବ୍ୟ ପହରଣେ ଅଷ୍ଟାଦଶ ନୃପ

ବସିଛନ୍ତି ମହାମୋଦେ;

ସୁଧର୍ମା ସଭାରେ ବିଜେ କରିଛନ୍ତି

ଅବା ସରବ ବିବୁଧେ ।୨୮୩।

ସୁରଗୁଜା ନୃପ ରାଜୋଚିତ ଧର୍ମେ

ମଣ୍ଡି ଅଛନ୍ତି ଆସନ

ମାତ୍ର ମୁଖପଦ୍ମ ଶିଶିର ଆଘାତ

ପ୍ରାୟ ହୋଇଛି ମଳିନ । ୨୮୪।

ଲଳିତ ମଧୁର ଭାଟ ସ୍ତୁତି ଗୀର

ପୀୟୂଷ ଢାଳଇ କର୍ଣ୍ଣେ

ପଟ୍ଟ ଗ୍ରହବିପ୍ର ଶ୍ରୀ ଛାମୁକରଣ

ଅଛନ୍ତି ଯେ ଯାହା ସ୍ଥାନେ । ୨୮୫।

ଅମାତ୍ୟ ପ୍ରବର ହେଳେ ଜଣାଉଛି

ରାଜ୍ୟର ସୁସମାଚାର,

ବଙ୍ଗ ବାଦଶାହ ସହ ସୁରଗୁଜା

ନୃପଙ୍କ ଗୁପ୍ତ କୌଶଳ ।୨୮୬।

ଦେବୀଙ୍କ କୃପାରୁ ଅରି ଚମୁଗଣ

ଫେରିଛନ୍ତି ରଙ୍ଗାଳୟେ

ଥୋକେ ସୈନ୍ୟ ମାତ୍ର ଜୀବନ ବଞ୍ଚାଇ

ଗୁହା ଧରିଛନ୍ତି ଭୟେ ।୨୮୭।

ବେନି ସେନାପତି ଛତ୍ରଭଙ୍ଗ ଦେଇ

ତେଜିଛନ୍ତି ରାଜବାଟୀ,

ଅଦ୍ୟାପି ବିରାଜି ରହିଅଛି ମାତ୍ର

ରକତ ରଞ୍ଜିତ ମାଟି ।୨୮୮।

ନଗର ବିପଣୀ ସରବ ପ୍ରକୃତି

ଅଛନ୍ତି ମହା କୁଶଳେ,

*ଝାଡ଼ୁଆଦି ଜାତି ଲଭନ୍ତି ମୁକତି

ତବ ବୀର ଭୁଜ ତଳେ । ୨୮୯ ।

ନାଗେଶ୍ୱର ଦେବ ବସିଛନ୍ତି ଦୁଃଖେ

ଶ୍ରୀମୁଖ ଯାଇଛି ଝଳି,

ଉଲ୍ଲସିତ ରମ୍ଭା- ବନକୁ ବିଷାଦ

ମତ୍ତହସ୍ତୀ କିବା ଦଳି ।୨୯୦।

ହୀରାଖଣ୍ଡ ପତି ବଳରାମ ଦେବ

ପରଜାରଞ୍ଜନ ନୃପ

ଭାଷନ୍ତି ସସ୍ମିତେ, ‘‘ସୁରଗୁଜା ନୃପ

କିମ୍ପା କର ମନସ୍ତାପ ।୨୯୧।

ଦେବୀ ପୀଠ ଲାଗି ଅକାରଣେ ସିନା

ଭିଆଇଲେ ଏ କନ୍ଦଳ,

ପାଞ୍ଚିଥିଲ ପୁଣି ଆନ ବୈରୀ ହସ୍ତେ

ଦେବ ମୋତେ ପ୍ରତିଫଳ ।୨୯୨।

ଯେଉଁ ଯବନରେ ସୌହାର୍ଦ୍ଦ୍ୟ ମୁଣ୍ଡାଇ

ନିମନ୍ତ୍ରିଲ ଏହି ପୁରେ

ସେ ପାଂଶୁଳ ରାଜା ଅଭିଯାନ ପୁଣି

ପେଷିଲା ତୁମ୍ଭ ରାଜ୍ୟରେ ।୨୯୩।

ଏ ସ୍ଥାନୁ ବାହୁଡ଼ି ରାଜ୍ୟେ ଫେରିଗଲେ

ପାଇବ କି ସିଂହାସନ

ଅନିକିନୀ ସର୍ବ ହରାଇଛ ହେଳେ

ଭେଡ଼ନ ଯୁଦ୍ଧ ଅଙ୍ଗନ ।୨୯୪।

କେଶରୀ କେବେ କି ବିଜାତି ମିତ୍ରତା

ଇଚ୍ଛଇ ପଶୁ ଜୀବନେ

ସୁଜ୍ଞାନୀ ପଣ୍ଡିତ ମୂର୍ଖ ସଙ୍ଗେ କାହିଁ

ମଣ୍ଡିତ ହୁଏ ସମ୍ମାନେ । ୨୯୫।

ପଶୁଠାରୁ ବଳି ବିବେକ ହୁଡ଼ିଲ

ଏହି କି ହିନ୍ଦୁ ଆଦର୍ଶ

ଏହି କି ମୁକୁଟ ମଣ୍ଡିତ ଶିରର

ସ୍ୱର୍ଗାଦପି ପଉରୁଷ ।୨୯୬।

ହିନ୍ଦୁର ରକତ ହିନ୍ଦୁ ହୋଇ ଇଚ୍ଛି

ଆଚରିଲ ବୈରୀଭାବ

ଲାଞ୍ଛିନ କେତନ ଉଡ଼ାଇଲ ତାହା

ଯୁଗେ ଯୁଗେ ଉଡ଼ୁଥିବ ।୨୯୭।

ଏ ଭାରତ ଖଣ୍ଡେ ଇତିହାସ ଗାଏ

ଜୟଚନ୍ଦ୍ର ନରପତି

ଯବନ ମିତ୍ରତା ଆଚରି ସୁଯୋଗ୍ୟ

ଭ୍ରାତାକୁ ଥିଲେ ବିକୋତି ।୨୯୮।

ପୃଥ୍ୱୀରାଜ ନାମ ଯବନ ହୃଦୟେ

ଭୀତି କରୁଥିଲା ଜାତ

ବୈରୀ ହସ୍ତେ ଭ୍ରାତା ମରାଇ ଶେଷରେ

ଜୟଚନ୍ଦ୍ର ହେଲେ ହତ ।୨୯୯।

ଏହି କି ଭାରତ ହିନ୍ଦୁ ସନ୍ତାନର

ଆଦରଣ ରାଜନୀତି,

ବିବେକ ହଜାଇ ବିଜାତିରେ ମାନ

ବିକି ମରାଇବ ଜ୍ଞାତି ।୩୦୦।

ନୁହେଁ କି ଆଦର୍ଶ ଇତିହାସ ପୃଷ୍ଠା

କଳଙ୍କ କଜ୍ଜ୍ୱଳ ଗାର

ମାନବିକତାର ଧିକ୍ ସେ ମହତ୍ତ୍ୱ

ଧିକ୍ ସେ ଆର୍ଯ୍ୟ ବେଭାର ।୩୦୧।

ଧିକ୍ ସେ ରାଜନ ପଣ ଧରିତ୍ରୀରେ

ଜଳାଏ ଗୌରବ-ଚିତା

ଜୀବିତରେ ନିନ୍ଦା ଅନ୍ତେ ଅପଯଶ

କାଳେକାଳେ ନିନ୍ଦାଗାଥା ।୩୦୨।

ଏ ସମ୍ୱଲପୁରେ ଶାସନ ନିୟମ

ଅତିହିଁ ମମ କଠୋର

ପୁତ୍ର ହେଲେ ସୁଦ୍ଧା ଶୃଙ୍ଖଳା ବିଧାନ

କରିଥାଏ ଦରବାର ।୩୦୩।

ରାଜସୁତା ପୁଣି ବୈରୀରୂପେ ଆସି

ମଣ୍ଡିଲା ଯୁଦ୍ଧ ଅଙ୍ଗନ

ଅବଳା ହେଲେହେଁ ଦରବାରେ ହେବ

ସମୁଚିତ ଦଣ୍ଡଦାନ ।୩୦୪।

ଏବେ କିବା ଆଶା ପୋଷିଛ ମନରେ

ଭାଷ ଏହି ଦରବାର

କନ୍ୟା ସହ ତୁମ୍ଭ ଦୁହିଁଙ୍କର ହେବ

ସମୁଚିତ ସୁବିଚାର ।’’ ୩୦୫।

ସାରା ଦରବାର ମୁଖରାବ ଗୋଳ

ସ୍ତମ୍ଭିତ ସକଳ ଜନେ

ସର୍ବ ଦୃଷ୍ଟିକୋଣ ଲାଖି ରହିଅଛି

ସୁର୍ଗୁଜା ନୃପ ବଦନେ । ୩୦୬।

ଭବିତବ୍ୟ ଲିପି ବିହି ଅଛି ସଞ୍ଚି

ବିଷାଦ ଅବା ହରଷ

କିଏ ଜାଣେ ଘନ କେବେ ପ୍ରକ୍ଷାଳିବ

ଧରିତ୍ରୀ ମୁକୁଳା କେଶ ।୩୦୭।

ନାଗେଶ୍ୱର ଦେବ ହୃଦୟେ ଜଳଇ

ପ୍ରତିହିଂସା ବହ୍ନିଶିଖା

ଫାଶ ବିଦ୍ଧି ମୀନ କ୍ଷମ କି ହୁଅଇ

ଭ୍ରମିବା ପାଇଁ ଚିଲିକା ।୩୦୮।

କନ୍ୟା ଦଣ୍ଡାଦେଶ ହେବ ବୋଲି ନୃପ

ନିଭୃତ ଅନ୍ତର କୋଣ

ସ୍ଫୁରି ଉଠେ ଆର୍ଦ୍ରା- ବଳୀ ପ୍ରହାର କି

କରନ୍ତି ସହସ୍ରାନନ ।୩୦୯।

ମାତୃହୀନା ବାଳୀ ଅଜ୍ଞାନ ବୋଲିଣ

ଭାଳି ହେଉଥାନ୍ତି ନୃପ

ଅତର୍କିତେ ମାର ପଞ୍ଚଶର ଆସି

ମଣ୍ଡିଥିଲା ବାଳୀରୂପ ।୩୧୦।

ସୁଦୂର ରାଇଜେ ବରଜିବା ପାଇଁ

ନ ବଳାଇଲେ ମାନସ

କେତେ ଦମ୍ଭ ଦେଇ ଆସିଲେ କନ୍ୟାକୁ

ପୂରାଇବେ ତାର ଆଶ । ୩୧୧।

ମୃଗୟା ବିନୋଦେ ଦିନେ † ଆଶାବରୀ

ଆସି ସଖୀଙ୍କ ଗହଣେ

ପ୍ରବେଶି ଥିଲା ସେ ସମ୍ୱଲାଈ ପୀଠ

ଭୀମ ଭୈରବ କାନନେ ।୩୧୨।

ଦେବୀଙ୍କୁ ଦର୍ଶନ କରିଣ କୃତାର୍ଥ

ହୋଇଗଲା ଜେମାମଣୀ

ପିତା ପାଶେ ଯାଇଁ ସମ୍ୱଲ ନଗର

ଲାଗି କରିଲା ଦଇନୀ ।୩୧୩।

ପିତାମାତା ସିନା ସନ୍ତାନର ହାଦେ

ପାରନ୍ତି ବୁଝି ଅନ୍ତର

ଆନ ତେହ୍ନେ କିଏ ବୁଝିବ ସେ କଥା

ପରଶିଣ ମୃଦୁଗୀର । ୩୧୪।

ଜେମାଙ୍କର ଅଳି ପୂର୍ଣ୍ଣ କରିବାକୁ

ପଶିଲେ ଯୁଦ୍ଧ କନ୍ଦଳେ

ଭବିତବ୍ୟ ଆହା ଅନ୍ଧକାର ଥିଲା

ଭାବି ତ ନ ଥିଲେ ବାରେ ।୩୧୫।

ଜେମା ହୃଦେ ରାଜ– ନବରେ ଏସନ

ଉଠୁଥିଲା ଯେଉଁ ଦୁଃଖ

ଭାସାରେ ବର୍ଣ୍ଣନା କରିବ ତା କିଏ

ହୃଦ ବିଦାରଣ ଶୋକ ।୩୧୬।

ଜାଗ୍ରତ ସ୍ୱପନ ବ୍ୟାଧି କି ଘଟିଲା

ନୃପ ନନ୍ଦିନୀଙ୍କ ହେଳେ

ମହା ଭୀମଛାୟା ସ୍ୱରୂପ ଦର୍ଶନ

କରଇ ଚିତ୍ତ-ମୁକୁରେ ।୩୧୭।

କିମ୍ପା ପିତା ପାଶେ ଦୟିନୀ ଜଣାଇ

କଳଙ୍କ ଲେପିଲା କୁଳ

କିମ୍ପା ରାଜସୁତ ଭଗାରି ହୋଇଲେ

ତୁଟିଲା ସମରେ ବଳ ।୩୧୮।

ଅଭାଗିନୀ ଯେବେ ଯୁଦ୍ଧ ଅଙ୍ଗନରେ

ହାରିଥାନ୍ତା ପଞ୍ଚପ୍ରାଣ

ପିତୃ ଅପମାନ ଶୁଣି ଦୁଃଖ ନୀରେ

ଭାସିତ ନ ଥାନ୍ତା ପୁଣ ।୩୧୯।

ମାତା ଗୋ କାହିଁକି ଏକା ଛାଡ଼ି ଖୋଜେ

ଗମିଲୁ ଶମନପୁର

ମୋର ହେତୁ ସିନା କଳଙ୍କର ପୃଷ୍ଠା

ରହିଲା ରାଜକୁଳର ।୩୨୦।

ମାତା କଥା ଜେମା ହୃଦେ ପଡ଼ି ଦେଲା

ଦାରୁଣ ଜାତନା ଭୋଗ

ସରୋଜ ନୟନେ ଉଛୁଳି ଉଠିଲା

ଘନଧାର ଉଦବେଗ ।୩୨୧।

ବୀର ବଳରାମ ଦେବ କ୍ଷିତି ରବି

ବଚନର ନିରାଧାର

ଉଦ୍‍ଗ୍ରୀବ ଜନତା ଶ୍ରୁତି ପଟହକୁ

କରୁଥିଲା ଲୋଭାତୁର ।୩୨୨।

ଭାଷିଲେ ନୃମଣି ‘‘ଯେଉଁ ପୀଠ ଲାଗି

ପିନ୍ଧିଲି ସମର ବେଶ

ଅପୂର୍ବ ବୃତ୍ତାନ୍ତ ଅତି ଅଦଭୂତ

ସେହି ଭୂମି ଇତିହାସ ।୩୨୩।

ଲତା ପହଣରେ ମଣ୍ଡି କଳେବର

ଦ୍ରୂମ ଗହନ କାନ୍ତାର

ହିଂସ୍ର ଜନ୍ତୁଗଣ ହରଷେ ବିପଣୀ

ରଚିଥିଲେ ସେହି ସ୍ଥଳ ।୩୨୪।

ମହା ଭୟଙ୍କର ଛବି ଦୂରୁ ଦେଖି

ପଥିକେ ଲୋଡ଼ନ୍ତି ରାହା

ମଧ୍ୟାହ୍ନ ଦିବସେ ଜଡ଼ିଥାଏ ତହିଁ

ଭୀମ ଘୋର ଅମାଛାୟା ।୩୨୫।

ଶାର୍ଦ୍ଦୂଳ ଦମ୍ପତି ଦିବସରେ ସୁଦ୍ଧା

ଭ୍ରମି ହରଷେ ମଗନ

ମୃଗ ମୃଗୀଗଣ ତ୍ରସ୍ତେ ଚରୁଥାନ୍ତି

ସେ ବନର ତୃଣମାନ ।୩୨୬।

ଗୁମଦୁହା ଗିରି ପାଦଦେଶ ନୀଳ

ବସନରେ ପହରଣ

ମହାନଦୀ ରାଣୀ ଅଜାଡ଼ି ଦିଅଇ

ବନଧାରେ ଶୁଭ୍ର ବନ ।୩୨୭।

ବନ ମୁକୁରରେ ବନବାସୀ ଜୀବେ

ନିରେଖୁଥାନ୍ତି ବଦନ

ଗୁମଦୁହା ସଙ୍ଗେ ପ୍ରଣୟ ଲୋଡ଼େ କି

ଅରଣ୍ୟ ସୁନ୍ଦରୀ ମନ ।୩୨୮।

ମୃଗୟା ବିନୋଦେ ଭ୍ରମିଯାଇ ଥରେ

ପ୍ରବେଶି ଥିଲି ସେ ସ୍ଥାନେ

ମହା ଭୀମକାନ୍ତ ଛବି ଦେଖି ହେଳେ

ହରଷ ଜାଗିଲା ମନେ ।୩୨୯।

ଜୀବନରେ ଥରେ ଏ ଦୁର୍ଲଭ ଛବି

ପ୍ରକୃତି ରାଣୀ ବିଳାସ

ଦୃଷ୍ଟପୂର୍ବ ହୋଇ ନ ଥିଲା ନୟନେ

ଏସନ ବନାନୀ ବେଶ ।୩୩୦।

ମହୋଲ୍ଲାସେ ଶୋଭା କରୁ ନିରୀକ୍ଷଣ

ସମ୍ମୁଖେ ଏକ ଅଦ୍ଭୁତ

ନିରେଖି ଘଟଣା ଭାବି ନ ପାରିଲି

ସ୍ୱପନ ଅବା ଜାଗ୍ରତ ।୩୩୧।

ପୋଷ୍ୟ ଶ୍ୱାନଗଣ ଶିକାର ଆଶାରେ

ଭ୍ରମୁ ବନ ଚଉଦିଶ

କ୍ଷୁଦ୍ର ଶଶା ଏକ ଅଦୂରରେ ଦେଖି

ଧାଉଡ଼ି ଦେଲେ ତା ପାଶ ।୩୩୨।

ବିଚିତ୍ର ଘଟଣା ଘଟିଲା ସେଠାରେ

ଯାହା ଦେଖିଲି ନୟନେ,

କ୍ଷୁଦ୍ର ଶଶକଟି ମହା ରୋଷଭରେ

ଆକ୍ରମିଲା ଶ୍ୱାନଗଣେ ।୩୩୩।

ଭକ୍ଷ ଭକ୍ଷକକୁ ସଂହାର କରଇ

କାଳେ ତ ନ ଥିଲା ଦେଖା

ଶ୍ୱାନଗଣ କ୍ଷିପ୍ରେ ପଳାଇ ଆସିଲେ

ହୃଦୟେ ଲଭିଣ ଶଙ୍କା ।୩୩୪।

ବାହୁଡ଼ି ସେଠାରୁ ଆସିଲି ନବର

ମାତ୍ର ମନେ ଅବଶୋଷ

ଲାଖି ରହିଥିଲା ସେହିବନ ଘୋର

ମୃଗୟା ବିନୋଦ ଦୃଶ୍ୟ ।୩୩୫।

ସେହି ଦିନ ଯାମ ଚତୁର୍ଥ ପ୍ରହରେ

ଦେବୀ ଏକ ଜ୍ୟୋତିର୍ମ୍ମୟୀ

ଭାଷିଲେ ସ୍ୱପନେ ଶୁଣରେ ରାଜନ

ଆଜି ଯା ଦେଖିଲୁ ତୁହି ।୩୩୬।

ମୋ ନାମ ସମଲା ଗୁମଦୁହା ଗିରି

କନ୍ଦରେ ରହିଛି ବାସ

ଅପୂଜା ରୂପରେ ପଡ଼ି ରହିଅଛି

ଭ୍ରମି ଏହି ବନଦେଶ ।୩୩୭।

ଶଶା ରୂପେ ବୁଲୁ ତୋର ପୋଷ୍ୟଶ୍ୱାନେ

ଧାଉଡ଼ି ଲଗାଉଁ ଖରେ

ରେଷେ ଶ୍ୱାନ ପ୍ରତି– ଆକ୍ରମଣ କଲି

ବୁଡ଼ିଲୁ ବିସ୍ମୟନୀରେ ।୩୩୮।

ଏବେ ମୋର ଆଜ୍ଞା ମାନି ମୋତେ ତହୁଁ

ଅଣାଇବୁ ସୁଯତନେ

ଯହିଁ ଶାଳମଳୀ ବୃକ୍ଷ ଅଛି ତହିଁ

ସ୍ଥାପିବୁ ବିଧି ବିଧାନେ ।୩୩୯।

ସମ୍ୱଲାଈ ଦେବୀ ନାମେ ଉତ୍କଳର

ପଶ୍ଚିମେ ଉଡ଼ିବ ଛତି

ସମ୍ୱଲ ନଗର ସ୍ଥାପନ କରାଇ

ରଖିବୁ ଅମର କୀର୍ତ୍ତି ।୩୪୦।

ଏତେ ଭାଷି ଦେବୀ ଅନ୍ତର୍ଦ୍ଧାନ ହୋଇ

ଗଲେଟି ନଭୋମଣ୍ଡଳ

ସେହି କାଳୁ ମନ ନିବେଶି ରଚିଛି

ସମ୍ୱଲେଶ୍ୱରୀ ଦେଉଳ ।୩୪୧।

ଏବେ ସେହି ପୀଠ ଉତ୍କଳ ଅଙ୍ଗରୁ

ଛିନ୍ନ କରିବାକୁ ନୃପ

ସମର ଡିଣ୍ଡିମ ବଜାଇ ଭେଡନ

କୂଳକୁ କରିଲେ ଧାପ ।୩୪୨।

ପରମେଷ୍ଟୀ ସଦା- କାଳେ ସଭିଙ୍କର

ଜନନୀ ଅଟନ୍ତି ଭବେ

ଭକ୍ତି ଅନୁଯାୟୀ ବରଦାତ୍ରୀଙ୍କର

ବର ଲଭନ୍ତି ସରବେ ।୩୪୩।

ଜେମାଙ୍କ ହୃଦୟ ନିଭୃତ କୋଣରେ

ଉଦିଛି ଯେ ଭକ୍ତି ରସ

ଦେବୀଙ୍କ କୃପାରୁ ଏ ଦରବାରରେ

ପୂର୍ଣ୍ଣ ତା ହେବ ଅବଶ୍ୟ ।୩୪୪।

ହିନ୍ଦୁ ମୁହିଁ ହିନ୍ଦୁ- ରକ୍ତ ମମ ଗାତ୍ରେ

ବହୁଛି ଧମନୀ ଧାରେ

ହିନ୍ଦୁର ମର୍ଯ୍ୟାଦା ରକ୍ତବିନ୍ଦୁ ଦେଇ

ପାଳିବି ଏ ଦରବାରେ ।୩୪୫।

ନାଗେଶ୍ୱର ଦେବ ମମ ହିନ୍ଦଭ୍ରାତା

କ୍ଷମିଲି ତାଙ୍କର ଦୋଷ

ଆଦେଶ ମାତର ପାଳିଣ ରଖିବେ

ବିଜେତାର ପଉରୁଷ ।୩୪୬।

ବନ୍ଦିନୀ ନନ୍ଦିନୀ ବଧୂରୂପେ ମୋତେ

କରିଦେବେ ସମ୍ପ୍ରଦାନ

ମାନସୁ ବିଷାଦ ତେଜି ହରଷରେ

ହେବେ ସାମନ୍ତ ରାଜନ ।୩୪୭।

ବୀର ଜୟଦେବ ଅଟେ ମୋର ଏକ

କୁଳର ଦିବ୍ୟ ପ୍ରସୂନ,

ବେନି ହୃଦ ବ୍ୟଥା ଦେଖିଛି ନୟନେ

ଯାହା ଥିଲା ସଂଗୋପନ ।୩୪୮।

ରାଜବାଳା ଯେବେ ଉପସ୍ଥିତ ହେଲା

ସମର ଅର୍ଦ୍ଦଳି ପୀଠ

ଯୁବରାଜ ବଂଶୁ ଅମାନିଆ ଦୃଷ୍ଟି

ବିଧି କରିଲା ସଙ୍କଟ ।୩୪୯।

ବୀର ଜୟଦେବ ତେସନ ହୋଇଲେ

ସ୍ୱ ନେତ୍ରେ ଦେଖିଛି ମୁହିଁ

ସେହି ଲଗ୍ନବେଳୁ ପ୍ରତିଜ୍ଞା କରିଛି

ମମ ରାଜବଧୂ ପାଇଁ ।୩୫୦।

ସମ୍ୱଲାଇଦେବୀ ଦରଶନ ଭାଗ୍ୟ

ଉତ୍କଣ୍ଠା ହୋଇବ ଦୂର

ପୂର୍ଣ୍ଣ ହେବ ଆଶା ସନ୍ତୋଷ ଚିତ୍ତରେ

ମଣ୍ଡିଲେ ମମ ନବର ।୩୫୧।

ସମ୍ୱଲପୁରର ଭାବୀ ଦାୟାଦ ସେ

ରଖିବେ ରାଇଜ ଭାର,

ତୁଟିଯିବ ଗ୍ଳାନି ଦଇନି ତାଙ୍କର

ସବୁକାଳେ ହୋଇ ଦୂର ।୩୫୨।

ପୁଣି ଅବଧାନ କର ଆନ କଥା

ସୁର୍ଗୁଜା ବାର୍ତ୍ତା ନିଚୟ

ଯବନ ସଇନେ ପ୍ରତିଶୋଧ ଆଶେ

ପେଷିଥିଲେ ବାଦଶାହ ।୩୫୩।

ପାଇ ଏ ଉଦନ୍ତ ବରଗିଲି ସୈନ୍ୟ

ସମୁଚିତ ପୁରସ୍କାରେ

ରଣକ୍ଷତ ଲଭି ଫେରି ଯାଇଛନ୍ତି

ଅନୁତାପ ଦୁଃଖାନଳେ ।୩୫୪।

ଯେଉଁ ହିନ୍ଦୁ ଭ୍ରାତା ବଇରୀ ଭାବିଣ

ନିଧନକୁ କଲ ଆଶ

ଏବେ ସେହି ତୁମ୍ଭ ରାଜ୍ୟ ନିଷ୍କଣ୍ଟକ

କରିଛି ଲଭି ପରାସ ।୩୫୫।

ହୋଇନାହିଁ ଏ କି ଆର୍ଯ୍ୟ ବେଭାରର

ମହନୀୟ ଭ୍ରାତୃପ୍ରୀତି

ଆନକୁ ବିପତ୍ତି ସାଗରୁ ଉଦ୍ଧାର

କରିଥାଏ ହିନ୍ଦୁ କ୍ଷତ୍ରି ।୩୫୬।

ଦେବୀଙ୍କ କୃପାରୁ ସଦାକାଳେ ଅରୀ

ପଦାନତ ଏହି ସ୍ଥଳେ

ମାନବ ମାତର କି କରି ପାରିବ

ମୁକୁଟ ଥାପି ଶିରରେ ।୩୫୭।

ପ୍ରାଣ ବିହଙ୍ଗମ ଥିବାଯାଏ ଦେହୀ

କର୍ତ୍ତବ୍ୟ ଭୁଲେ ଯେ ଜନ,

ଅନ୍ତେ ନର୍କରାଜ୍ୟେ ଲଭୁଥାଇ ହେଳେ

ସୁକଠୋର ଦଣ୍ଡମାନ ।୩୫୮।

ଏତେ ଭାସି ନୃପ ହୁଅନ୍ତେ ମଉନ

ସେହି ରାଜଦରଦାର

ଜୟ ବଳରାମ ଜୟ ଘୋଷ ସ୍ତବ୍ଧ

କରିଲା କର୍ଣ୍ଣକୁହର ।୩୫୯।

ଜୟ ହୀରାଖଣ୍ଡ ଛତ୍ର ନରମଣି

ସମ୍ୱଲାଇ ବରପୁତ୍ର

ତୁମ୍ଭ ମହାଭାବେ ଦେବୀଙ୍କ କୃପାରୁ

ଏ ପୁର ହେଲା ପବିତ୍ର ।୩୬୦।

ଅମୃତ ବାରତା ସୁକୋମଳ ଗୀର

ଶୁଣୁଥିଲେ ସଭାସଦ

ଏକକୁ ଆରେକ ଚାହୁଁଥିଲେ କ୍ଷଣେ

ହୋଇ ହୃଦେ ମହାମୋଦ ।୩୬୧।

ସୁରଗୁଜା ନୃପ ନାଗେଶ୍ୱରଦେବ

ନିଗ୍ରହ ପିତୁଳି ସମ

ବିଷାଦ ମାନସେ ସ୍ଥାଣୁ ପରକାରେ

ମଣ୍ଡିଣ ଥିଲେ ଆସନ ।୩୬୨।

ନୃପଙ୍କ ଦରଦୀ ବଚନକୁ ଶୁଣି

ଅନ୍ତରରେ ହେଲେ ଲଜ୍ଜିତ

ବଦନ ସରୋଜେ ଭାଷାର ଶଇଳୀ

ନ ସ୍ଫୁରିଲା ଅକସ୍ମାତ ।୩୬୩।

ବୀର ଜୟଦେବ ପ୍ରକୃତ ଦାୟାଦ

ଜାମାତା ରୂପରେ ଲଭି

ଭାବିଲେ କନ୍ୟାର ଭାଗ୍ୟ ଆକାଶରେ

ଉଇଁଛି ସୁଭାଗ୍ୟ ରବି ।୩୬୪।

ଅପଚୟ ଭୁଲି ନରେନ୍ଦ୍ର କେସନେ

ସୁହୃଚିତ୍ତେ ଆନମନା

ଧନ୍ୟ ନରପତି ଏ ଭାରତ ଖଣ୍ଡେ

ସାଦରେ ହେବେ ଅର୍ଚ୍ଚନା ।୩୬୫।

ସ୍ତୁତି ଗୀର ଉଠେ ମଧୁରେ ମଧୁରେ

ଭାଟଗଣ କଣ୍ଠୁଁ ଛନ୍ଦେ

ମଣିମା ମଣିମା ଡାକ ଉଛୁଳଇ

ସୁଜ୍ଞାନୀ ସିଂହାରୀ ନାଦେ ।୩୬୬।

★★★

 

ପଞ୍ଚମ ସର୍ଗ

 

ଇତିହାସ ପୃଷ୍ଠା ସ୍ୱର୍ଣ୍ଣାକ୍ଷର ବୋଳା

ସମ୍ୱଲପୁର ରାଇଜ;

ମହାନଦୀ ନୀରେ ମହା ଗରବରେ

ନିରେଖେ ଆପଣା ତେଜ ।୩୬୭।

କେବେ ଯୁଦ୍ଧ ରକ୍ତ- ଛିଟା ହେଲେ ଅଙ୍ଗ

ପ୍ରକ୍ଷାଳି ପରିଖା ଜଳେ

ପୋଛିଦିଏ ମହା— ନଦୀ ନିମିଷକେ

ଅତି ମହତ ବେଭାରେ ।୩୬୮।

ସୁବିଶାଳ ବପୁ ଧାରଣ କରିଣ

ଟେକିଣ ପଶ୍ଚିମେ ଛତି

ସୁଦୂର ରାଇଜେ ଭ୍ରୂଭଙ୍ଗୀ କଟାକ୍ଷ

କରୁଥାଏ ନିତି ନିତି ।୩୬୯।

ସିଂହାନାଦ ସମ ଢକ୍କା ପ୍ରତିଧ୍ୱନି

ଅରଣ୍ୟ ଗରଭେ ପଶେ

ମହାନଦୀ ସ୍ୱଚ୍ଛ ତନୁ ସ୍ଫୁରି ଉଠି

ସାଗର ରାଜାଙ୍କୁ ଭାଷେ ।୩୭୦।

ଦେବଦାରୁ ତରୁ ଶିଖେ ବସିବାକୁ

କପୋତୀ ବଧୂର ଭୟ,

ମାଂସ ପୋଷ୍ୟ ହୋଇ ରଚିଛନ୍ତି ତହିଁ

ଗୃଧ୍ରଦମ୍ପତି କୁଲାୟ ।୩୭୧।

ସୁଯୋଗ୍ୟ ଅନୁଜ ବୋଲି *ନରସିଂହ

ରଚିଛନ୍ତି କୀର୍ତ୍ତିସ୍ତମ୍ଭ

ସଗର୍ବେ ପଶ୍ଚିମ ଉତ୍କଳ ଯାହାକୁ

କରିଅଛି †ପରିରମ୍ଭ ।୩୭୨।

ବୈତରଣୀଠାରୁ ଗୋଦାବରୀ ଯାଏ

ବ୍ୟାପିଛି ଯାହାର କ୍ଷେତ୍ର

ଧନ୍ୟ ସେହି ସ୍ଥାନ ଯେ ସ୍ଥାନ କରିଛି

ସମ୍ୱଲାଇ ସୁପବିତ୍ର ।୩୭୩।

ହିମାଦ୍ରି ଶେଖର ତେଜି ଆସିଥିଲେ

ଅବା ଚଣ୍ଡୀ ଭଗବତୀ

ସନ୍ତୋଷ ଚିତ୍ତରେ ସେହି ରମ୍ୟପୀଠେ

ରଚିଲେ ସ୍ୱୀୟ ବସତି ।୩୭୪।

ବିପଣୀ ବିଥିକା ସଜ୍ଜୀଭୂତ ଆଜି

ଲଭିଛି କି ନବଜନ୍ମ

ନଗର ମାଳିକା ନାଗର ନାଗରୀ

ହରଷ ରସେ ମଗନ ।୩୭୫।

କାହିଁ କେତେ ରଙ୍ଗେ ଶୁଭୁଛି ମଧୁରେ

ତୌର୍ଯ୍ୟତ୍ରିକ ଛନ୍ଦଲୀଳା

ସାମନ୍ତ ନୃପତି— ଗଣ ମଣ୍ଡିଛନ୍ତି

ସମ୍ୱଲପୁର ମେଖଳା ।୩୭୬।

ବିଶାଳ ରାଇଜେ ଆନ୍ଦର ଢେଉ

ଖେଳୁଅଛି ତାଳେ ତାଳେ

ଡମ୍ୱରୁ ମଡ଼ୁକା ଡିଣ୍ଡମ ଝର୍ଝର

ପଣବ ବାଦ୍ୟ ଉଛୁଳେ ।୩୭୭।

ପ୍ରାସାଦ ପାଚୀର କାରୁକାର୍ଯ୍ୟେ ମଣ୍ଡି

ଜିଣେ ବର୍ଣ୍ଣ ହିରଣ୍ମୟ

ଯୁବରାଜ ବୀର ଜୟଦେବଙ୍କର

ମାଙ୍ଗଳିକ ପରିଣୟ ।୩୭୮।

ହୀରାଖଣ୍ଡ ନଭ ଭାବୀ ରାଜଲକ୍ଷ୍ମୀ

ମଣ୍ଡିବେ ନବର ପରା,

ସୌନ୍ଦର୍ଯ୍ୟ ମଣ୍ଡିତା ନାରୀ ସୀମନ୍ତିନୀ

ଆଶାବରୀ ଅପାଶୋରା ।୩୭୯।

ତୋରଣ ଅରୁଣ ପତ୍ର ସ୍ତବକରେ

ବିକଷିତ ପୁଷ୍ପ ଶୋହେ

ଚିତ୍ରିତ ଚିରାଳ ବାତେ ଦୋଳାୟିତ

ଦର୍ଶନ ନୟନ ମୋହେ ।୩୮୦।

ଆଗତ ମଧୁର କୁଳ ସୁମିଷ୍ଟକ

ଦ୍ରବ୍ୟ ନିର୍ମାଣରେ ରତ

ବେଦଧ୍ୟାଇ ବ୍ରହ୍ମ- ଜ୍ଞାନୀ ସୁଧୀଗଣ

ହୋଇଛନ୍ତି ଉପସ୍ଥିତ ।୩୮୧।

କର୍ଣ୍ଣାଟ ପ୍ରଦେଶୁଁ ଲଭି ଆମନ୍ତ୍ରଣ

ଆଗତ ସୈରିନ୍ଧ୍ରୀକୁଳ

ପୂରି ରହିଛନ୍ତି ସ୍ତୁତିକାରୀ ଭାଟ

ଚାଟୁ ପରିଷଦ ଦଳ ।୩୮୨।

ବିଚିତ୍ର ଭୂଷଣେ ସାଜସଜ୍ଜା ଲଭି

ରାଜବାଟୀ ରଞ୍ଜେ ମନ

ପରିଖା ଜଳରେ ପ୍ରତିବିମ୍ୱ ତାର

ଦୋଳାଏ ମୃଦୁ ପବନ ।୩୮୩।

ଅଷ୍ଟାଦଶ ରାଜ୍ୟ ପଣ୍ଡିତ ମଣ୍ଡଳୀ

ହୋଇଛନ୍ତି ଉପସ୍ଥିତ

ନୂତନ ରସଦେ ମାହାରୀ ନିମଗ୍ନା

(ତହିଁ) ଆବୋରିଛି ନରଥାଟ ।୩୮୪।

ପୌର ପୁରନ୍ଦରୀ ଦିବ୍ୟ ଆଭରଣେ

ବ୍ୟାକୋଷ କୁସୁମ ଆଭା

ସ୍ମର ଅଙ୍କଲକ୍ଷ୍ମୀ ସହସ୍ର ବପୁରେ

ଉଭା ହୋଇଛନ୍ତି ଅବା ।୩୮୫।

ମହାର୍ଘ ଅଞ୍ଚଳ ଉଡ଼େ ଫର ଫର

ପ୍ରସରେ ସୁଗନ୍ଧାନିଳ

ଚୂତ କିଶଳୟ ରତିପତିଙ୍କର

ଅବା ଢାଳୁଛି ଚାମର ।୩୮୬।

ରାଜବାଟୀ ପଥ ବେନି ପାର୍ଶ୍ୱ ଦିବ୍ୟ

ରୂପେ ପାଉଅଛି ଶୋଭା

ସ୍ଥାନେ ସ୍ଥାନେ ପୁଷ୍ପ- ତୋରଣ ହୋଇଛି

ପଥିକ ମାନସ ଲୋଭା ।୩୮୭।

ଚନ୍ଦ୍ରକିତ ପ୍ରାୟ ତୋରା ମନୋହର

କର୍ପୂର ଚନ୍ଦନ ଛିଟା

ଆବୋରିଛି ଶୁଭ୍ର ବର୍ଣ୍ଣା ହର୍ମ୍ମ୍ୟମାଳା

(ଯହିଁ) ସୌଗନ୍ଧିକ ଘନଘଟା ।୩୮୮।

ପ୍ରହରୀ ମାଳିକା କଟିଦେଶେ ମଣ୍ଡି

ଭାସ୍ୱର ଅସ୍ତ୍ରନିଚୟ

ଭ୍ରମନ୍ତି ହରଷେ ଦୁର୍ଗ ଚଉକତି

ତେଜି ମନୁଁ ଶଙ୍କାଭୟ ।୩୮୯।

ରୁଣ୍ଡ ଦୁର୍ଗାଙ୍ଗଣେ ସୁରଗୁଜା ରାଜ୍ୟ

ଅମାତ୍ୟ ସୁଜନମାନ

ମହାର୍ଘ ବସନ ପରିଧାନ କରି

ମଣ୍ଡିଛନ୍ତି ବେତ୍ରାସନ ।୩୯୦।

ଚାରୁ ଚନ୍ଦ୍ରାତପ ନିମ୍ନେ ଶୋଭାପାଏ

ସୁସଞ୍ଚ ମୃତ୍ତିକାମଞ୍ଚ †

କନକ ପ୍ରଦୀପ ଜଳି ଚଉକତି

ହୋଇଛି ଅତି ସୁସଞ୍ଚ ।୩୯୧।

ଅବା ବିବସ୍ୱନ ସହସ୍ର କରରେ

ମଣ୍ଡିଅଛି ଏହି ସ୍ଥଳ

ଅବା ସନ୍ଧ୍ୟାରାଣୀ ନକ୍ଷତ୍ର ମାଳିକା

ଖଞ୍ଜିଲା ବେଦି ଉପର ।୩୯୨।

ସ୍ତମ୍ଭାବଳୀ ନାନା ଚିତ୍ରପଟେ ଶୋହେ

ଦେଖାଇଣ ଅହମିକା

ପୁଷ୍ପ ସିଂହାସନ ପାର୍ଶ୍ୱେ ବୀଣାସ୍ୱନ

ରଚନ୍ତି ଆଳିମାଳିକା ।୩୯୩।

କର୍ଣ୍ଣ ରସାୟନ ବାଦ୍ୟନାଦ ଉଠେ

ଭେଦିର ରାଜ ନବର

ପାର୍ଶ୍ୱ ରାଜ୍ୟ ଦୁର୍ଗେ ତାର ପ୍ରତିଧ୍ୱନି

ଉଠେ ହୋଇ ପରବଳ ।୩୯୪।

ଅଳକାପୁରୀର ଶୋଭା ବିକଶୁଛି

ରାଜଧାନୀ ସୁବିଶାଳ

ପୁର ଅଙ୍ଗନାଙ୍କ † ମୁଖବାଦ୍ୟ ରୋଳ

ଗ୍ରାସୁଛି ଊର୍ମି ଚହଳ ।୩୯୫।

ମୋହିନୀ ମୂରତି ତପନ-କାଞ୍ଚନ-

ବରଣା ରାଜମହିଷୀ

ସାରସ ମରାଳ- ଦଳ ପ୍ରାୟ ଗତି

କରି ଶୋଭା ପରକାଶି ।୩୯୬।

ବିଜେ ଦିବ୍ୟାସନେ ସମ୍ୱଲ ନଗର

ଦେବପ୍ରାଣ ନରରାୟ

ପାରୁଶରେ ବସି ସୁରଗୁଜା ନୃପ

ଦେଖୁଛନ୍ତି ପରିଣୟ ।୩୯୭।

ନରପତିଗଣ ହରଷ ଚିତ୍ତରେ

ଦେଖନ୍ତି ମିଳନ ଛନ୍ଦ

ଉତ୍ତାଳ ତରଙ୍ଗ ପ୍ରାୟ ସ୍ଫୁରି ଉଠେ

ଅପଘନେ କମ୍ୱୁ ଶବ୍ଦ ।୩୯୮।

ମୃତ୍ତିକା ମଞ୍ଚର ପୁଷ୍ପ ସିଂହାସନେ

ଜୟଦେବ-ଆଶାବରୀ

ଶୋଭୁଛନ୍ତି ଯେହ୍ନେ ଅମରାବତୀର

ପୁରନ୍ଦର-ପୁରନ୍ଦରୀ ।୩୯୯।

ଅବା ରତିପତି ରତି ସଙ୍ଗେ ପୁଷ୍ପ-

ବିତାନ ମଣ୍ଡିଛି ଧାରେ

ଅବା ରୋହିଣୀର ପାରୁଶେ ବିଜୟ

ରାକାଶଶୀ ଧାତିକାରେ ।୪୦୦।

ପୁରଗାୟିକାଙ୍କ ଲଳିତ ମଧୁର

ସ୍ୱର ତୋଳେ ଦିବ୍ୟଛନ୍ଦ

ବ୍ରାହ୍ମଣ ସମାଜ ମନ୍ତ୍ରଧ୍ୱନି ତହିଁ

ହୃଦେ ଢାଳଇ ଆନନ୍ଦ ।୪୦୧।

ଆଳିଗଣ ତହିଁ କୁତୂହଳୀ ହୋଇ

ଫିଙ୍ଗନ୍ତି ପୁଷ୍ପସମ୍ଭାର

ଅଗୁରୁ ଚନ୍ଦନ ରଜେ ଜର୍ଜରିତ

କରି ଦିବ୍ୟ ପୁଷ୍ପଦଳ ।୪୦୨।

କେ ବା ଅଘ୍ୟସ୍ଥାଳୀ ଧରି ବନ୍ଦାପନା

କରିଦିଏ ମୃଦୁହାସେ

ବାସିତ ଚନ୍ଦନ ଛେରା ଅତର୍କିତେ

କେ ଅବା ଫିଙ୍ଗେ ହରଷେ ।୪୦୩।

ଜ୍ୟୋତିଷ ନାୟକ ଶୁଦ୍ଧ ପୂତ ଭାବେ

ପଢ଼ନ୍ତି ମଙ୍ଗଳାଷ୍ଟକ

ଗ୍ରହରାଜଗଣ ଦାମ୍ପତ୍ୟ ଜୀବନେ

ଅରପିବେ ମହାସୁଖ । ୪୦୪।

ଏକାଳେ ନବୀନ କିଶୋର କୁମାର

ହୃଦ-ପୋତ ଉଠେ ଖରେ

ନାସାରନ୍ଧ୍ରେ ଖର ନିଶ୍ୱାସ ଉଠଇ

ପୁଲକ ଜାଗେ ଶରୀରେ ।୪୦୫।

ଅକସ୍ମାତ କ୍ଷତ୍ରି— ଶକତିର ମ୍ଳାନ

ହୋଇଯାଏ ବେଳୁଁ ବେଳ

ଅବା ସେ କିଶୋରୀ ଚୁମ୍ୱକରେ ଟାଣି

ନେଉଛି କରି ମନ୍ତର ।୪୦୬।

ହାଟକ ବରଣା ଏଣୀ-ନେତ୍ର ଜିଣା

ଚାରୁ ପୂର୍ଣ୍ଣେନ୍ଦୁ ଲପନା

ପୀନ କଟିତଟା ଉତ୍ତୁଙ୍ଗ ବକ୍ଷୋଜା

କରୀବର ପଦଜିଣା ।୪୦୭।

କୁଞ୍ଚିତ କୁନ୍ତଳା ଡାଳିମ୍ୱ ରଦନ

ପକ୍ୱବିମ୍ୱ ଗଣ୍ଡଦେଶ

କୋକିଳ ଭାରତୀ ଅପାଙ୍ଗ ଚାହାଣୀ

ଦେବଗଣେ ହେବେ ବଶ ।୪୦୮।

ହୃଦୟ ପୁଲକ ଗାତ୍ର ରୋମାବଳୀ

ଦେଖି ସ୍ଫୁରି ଉଠିବାର

ଚିନ୍ତି ନ ପାରଇ ରାଜବାଳା ମଣି

କି ହେଲା ଅବା ତାହାର ।୪୦୯।

ବେନି ଚିତ୍ତପଦ୍ମ— ଶିରେ କାମଦେବ

ନିବେଶିଛି ତୀକ୍ଷ୍ଣ ଶର

ବେନିଜନ ଦିବ୍ୟ ପୁଷ୍ପ ସିଂହାସନେ

ହୁଅନ୍ତି ଅତି କାତର ।୪୧୦।

ସଂଗୋପନେ ଯୁବା ମନ-ଅଳିଯାଇ

ଯୁବତୀର ମଧୁଲୁଟେ

ଯୁବା-ଯୁବତୀଙ୍କ ମନ ଗହନର

ବ୍ୟଥା କି ବାହାରେ ଫୁଟେ ?୪୧୧।

ପ୍ରେମମନ୍ତ୍ର ଅତି ଗୁପତ ବେଭାର

ଭାବଦାନ ତେହ୍ନେ ଗୁପ୍ତ

ଅନୁଭବୀ ସିନା ଅନୁଭବୀ ଜାଣେ

କି ଅମୂଲ୍ୟ କି ମହତ ।୪୧୨।

କର ଗ୍ରନ୍ଥି କାଳେ ଶିହରଣ ଜାଗି

ଉଠିଲା ବେନି ଶରୀର

ଦୋଳାୟିତ ହେଲା ବେନିଙ୍କ ଶରୀର

କମ୍ପନ କି ଧରିତ୍ରୀର ।୪୧୩।

ଲଜ୍ଜାବଶୁ ବାଳୀ ହେମ ମୃଣାଳର

କର କଲା ସଙ୍କୁଚିତ

ସମୀର ପରଶେ ଲଜ୍ଜାବତୀ ଲତା

ହେଲା ଅବା ବ୍ରୀଡ଼ାନତ ।୪୧୪।

ହାସେ ପରିହାସେ ଏକକୁ ଆରେକ

ଇଙ୍ଗିତନ୍ତି ଆଳିବୃନ୍ଦ

ଜୟଦେବ ବୀର- ହୃଦ ବିହାୟସେ

ଉଦେ ପୂର୍ଣ୍ଣିମାର ଚାନ୍ଦ ।୪୧୫।

ଏସନ ସମୟେ ବଳରାମ ଦେବ

ସମ୍ୱଲପୁର ନୃପତି

ଉତ୍ସୁକ ପରାଣେ ଭାଷନ୍ତି ମଧୁରେ,

‘‘ଶୁଣ ସର୍ବ ନରପତି ।୪୧୬।

ସୁରଗୁଜା ନଭ ଅମଳ ତାରକା

ରାଜଜେମା ଆଶାବରୀ

ସମ୍ୱଲେଶ୍ୱରୀଙ୍କ ପୂଜାପାଇଁ ଦିନେ

ପିତାଙ୍କୁ କରିଲେ ଅଳି ।୪୧୭।

ଯୁଦ୍ଧର ଡିଣ୍ଡିମ ନିନାଦିଲା ରକ୍ତ-

ଛିଟା ଧୋଇଲା ଭେଡ଼ନ

ଏବେ ହରଷରେ ପାଇଲେ ତାଙ୍କର

ଚିର ଇସ୍ପିତ ସ୍ଥାନ ।୪୧୮।

ସମ୍ୱଲ ନଗର ଭାବୀ ଅଂଶୁମାଳୀ

ଧନୁର୍ଦ୍ଧର ଜୟଦେବ

ଏହି କଟକରେ ଆଜିଠାରୁ ତାଙ୍କ

ସୁଶାସନ ପ୍ରବର୍ତ୍ତିବ ।୪୧୯।

ଆଜିଠାରୁ ପୁଣି ଏ ଦୁଇ ରାଇଜେ

ଅମାୟିକ ବନ୍ଧୁ ସ୍ନେହ

ପ୍ରତିଷ୍ଠା ଲଭିଲା ସମ୍ପଦେ ବିପଦେ

ଚିରକାଳ ଅହରହ ।’’ ୪୨୦ ।

ଏକାଳେ ସୁର୍ଗୁଜା ରାଜ୍ୟ ନରପତି

ସାଶ୍ରୁ ଲୋଚନ ଯୁଗଳେ

କହନ୍ତି, ‘‘ଭୋ ଦେବ ! ମମ ଆଶାବରୀ

ସ୍ନେହେ ବନ୍ଧା ସଦାକାଳେ ।୪୨୧।

ବାଲ୍ୟକାଳୁ ତାକୁ ପ୍ରାଣୁ ବଳି ସ୍ନେହ

କରି ଆସିଅଛି ମୁହିଁ

ଏବେ ସୁଭାଗ୍ୟରେ ନବର ମଣ୍ଡିଲା

ତବ କୃପାବାରି ପାଇ ।୪୨୨।

ଦଶଦୋଷ ତାର କ୍ଷମିବ ରାଜନ

ଏତିକି ମମ ମାଗୁଣି

ଜାଣିଲି ସେ ତବ ଅନୁଗ୍ରହ ଲଭି

ହୋଇଅଛି ସୁଲକ୍ଷଣୀ ।’’୪୨୩।

ଏତେ ଭାବି ନୃପ ନୀରବ ହୁଅନ୍ତେ

ଶଙ୍ଖ ହୁଳହୁଳି ନାଦ

ଉଠିଣ ସଘନେ କର୍ଣ୍ଣ ପଟହକୁ

ହେଳେ କରିଲା ସ୍ତବଧ ।୪୨୪।

ସ୍ତୁତିକାରୀଦଳ କଲେ ସ୍ତୁତି ପାଠ

ନିନାଦିଲା ବେଦଧ୍ୱନି

ପୁର ଗାୟିକାଙ୍କ ଲଳିତ ମଧୁର

ଛନ୍ଦେ ପୂରିଲା ଅବନୀ ।୪୨୫।

ଯଥାକାଳେ ବୀର ଜୟଦେବ ସଙ୍ଗେ

ରାଜବାଳୀ ଆଶାବରୀ

ସମ୍ୱଲ କଟକେ ପ୍ରଜା ପ୍ରତିପାଳି

ପୂଜିଲା ସମ୍ୱଲେଶ୍ୱରୀ ।୪୨୬।

ଦେବୀଙ୍କ ଶ୍ରୀପଦ- ପଙ୍କଜେ ଗଭୀର

ଧ୍ୟାନ ଭକ୍ତିରେ ନିବେଶି

ଦେବୀ ପ୍ରସନ୍ନରୁ ଖଣ୍ଡିଲା ତାହାର

ଭବ ମୋହମାୟା ରାଶି ।୪୨୭।

ସେ ଦିବ୍ୟ ଚରଣ ଲୟ କରି ବାଳୀ

ନିର୍ବାଣ ଲଭିଲା ସିନା ।

କାଳେ କାଳେ କିନ୍ତୁ ପ୍ରୋଥିତ କରିଲା

ଅକ୍ଷୟ ଅମର ବାନା ।୪୨୮।

ଅଜି ନାହିଁ ଆଉ ସେ ରାଜଦୁଲାଳୀ

ଆଶାବରୀ ଧର୍ମଶୀଳେ

ମାତ୍ର ରହିଅଛି ଇତିହାସ ପୃଷ୍ଠେ

ତା ନାମ ଅମରାକ୍ଷରେ ।୪୨୯।

Image